୧୦ବର୍ଷରେ ୧୮ଗୁଣ ବଢ଼ିଛି ଶିଶୁ ନିର୍ଯାତନା

ଭୁବନେଶ୍ୱର, ୫।୮ (ବ୍ୟୁରୋ): ଦେଶରେ ଶିଶୁ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଓଡ଼ିଶାରେ ଗତ ୧୦ବର୍ଷରେ ଶିଶୁ ନିର୍ଯାତନା ୧୮ଗୁଣ ବୃଦ୍ଧି ପାଇଛି। ୨୦୦୯ରେ ୮୭ ଶିଶୁ ନିର୍ଯାତନା ଅଭିଯୋଗ ହୋଇଥିବାବେଳେ ୨୦୧୯ରେ ତାହା ବୃଦ୍ଧି ପାଇ ୧,୬୪୮ରେ ପହଞ୍ଚିଛି। ଦେଶରେ ଶିଶୁ ନିର୍ଯାତନା ବୃଦ୍ଧିର ଚିତ୍ର ସମ୍ପର୍କିତ ତଥ୍ୟ ଲୋକ ସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ପ୍ରଦାନ କରିବାପରେ ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଦେଶର ହାର ତୁଳନାରେ ଓଡ଼ିଶାରେ ଶିଶୁ ନିର୍ଯାତନା ଅଧିକ ରହିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୟାଗଡ଼ରେ ୫ବର୍ଷୀୟା ପରୀ ବଳାତ୍କାର ଓ ହତ୍ୟା ମାମଲା ଅବା ସମ୍ବଲପୁର ବଡ଼ମାଳରେ ନାବାଳିକାଙ୍କୁ ଗଣବଳାତ୍କାର ଭଳି ବହୁ ଘଟଣା ରାଜ୍ୟରେ ଶିଶୁ ନିର୍ଯାତନା ବଢ଼ୁଥିବା କଥାକୁ ସୂଚାଉଛି। ଅପରପକ୍ଷରେ ଶିଶୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ କୁହାଯାଉଛି। ରାଜ୍ୟରେ ମହିଳାଙ୍କ ପାଇଁ ଯେଭଳି ସ୍ବତନ୍ତ୍ର ଥାନା ପ୍ରତିଷ୍ଠା ହୋଇଛି ସେହିଭଳି ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଥାନା ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ଯଦି ମୁଖ୍ୟମନ୍ତ୍ରୀ ଏହାକୁ ଅନୁମତି ଦେବେ, ଏହା ଶିଶୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବାରେ ସଫଳ ହେବ ବୋଲି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି।