ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୧ା୧୨: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି।

ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ପ୍ରଶାନ୍ତଙ୍କ ନିଜ ଘର, ପୈତୃକ ଘର, ଅଫିସ ଓ ସମ୍ପର୍କୀୟ ଘରେ ମଧ୍ୟ ଏହି ଚଢ଼ାଉ ଚାଲିଛି। ପ୍ରଶାନ୍ତଙ୍କର ଭୁବନେଶ୍ୱରର ବରଗଡ଼ ଅଞ୍ଚଳରେ ଗୋଟିଏ ଆପାର୍ଟମେଣ୍ଟ ଥିବା ବେଳେ ବ୍ରହ୍ମପୁରରେ ଗୋଟିଏ ଆପାର୍ଟମେଣ୍ଟ ଥିବା ଜଣାଯାଇଛି। ସେହିପରି ଭୁବନେଶ୍ୱରରେ ୩ଟି ବିଲ୍ଡିଂ ଥିବା ଜଣାପଡ଼ିଛି।

ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୮ ଡିଏସ୍‌ପି, ୫ ଇନ୍ସପେକ୍ଟର ଓ ବିଭାଗର ଅନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ପ୍ରଶାନ୍ତଙ୍କ ନାମରେ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ଆଜି ଏହି ଚଢ଼ାଉ କରାଯାଇଛି।