ମୁଖ୍ୟ ସଚିବଙ୍କ ସତ୍ୟବାଦୀ ଗସ୍ତ: ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ନେଇ ସମୀକ୍ଷା

ସାକ୍ଷୀଗୋପାଳ,୨୨ା୧୦(ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟରେ ଐତିହ୍ୟ ବିକାଶ ପ୍ରକଳ୍ପ ଏବଂ ବକୁଳବନରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅଗ୍ରଗତି ନେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ସମୀକ୍ଷା କରିଛନ୍ତି। ଅପରାହ୍ନରେ ସତ୍ୟବାଦୀ ଗସ୍ତରେ ଆସି ମୁଖ୍ୟ ସଚିବ ସୁଆଣ୍ଡୋ ରାସ୍ତାର ପଟ୍ଟନାୟିକିଆ ଛକରେ ଅଭ୍ୟର୍ଥନା କକ୍ଷ ଓ ସୂଚନାକେନ୍ଦ୍ର ବୁଲି ଦେଖିଥିଲେ। ସୁଆଣ୍ଡୋ ଗ୍ରାମରେ ଶ୍ରୀଲୋକନାଥ ଦେବ ମନ୍ଦିର, ପୁଷ୍କରିଣୀ ଉନ୍ନୟନ, ସଂଗ୍ରହାଳୟ, ଷଠିଘର ସଂରକ୍ଷଣ, ଗୋପବନ୍ଧୁଙ୍କ କୁଳଦେବତା ଶ୍ରୀରାଧା ବିନୋଦ ବିହାରୀଙ୍କ ମନ୍ଦିର, ପ୍ରମୋଦ ଉଦ୍ୟାନ, ରାସ୍ତା ଆଦି ଐତିହ୍ୟ ବିକାଶ ପ୍ରକଳ୍ପ ପରିଦର୍ଶନ କରିବା ସହ ପୂର୍ଣ୍ଣାଙ୍ଗ ରୂପରେଖ ସମ୍ପର୍କରେ ଉପସ୍ଥିତ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ୩ ମାସ ମଧ୍ୟରେ ଐତିହ୍ୟ ସମ୍ପନ୍ନ ଜାତୀୟ ସ୍ମାରକୀ ଲୋକାର୍ପଣ କରାଯିବ ବୋଲି ସଚିବ ସୂଚନା ଦେଇଥିଲେ। ସତ୍ୟବାଦୀ ବକୁଳବନର ବନିଦ୍ୟାଳୟର ସ୍ମୃତି ଉଜ୍ଜୀବିତ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଉତ୍ତରତ୍ତୋର ଗବେଷଣା ନିମନ୍ତେ ନିର୍ମାଣାଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟ ଛାତ୍ରାବାସ, ମୁଖ୍ୟ ପ୍ରଶାସନିକ ଦପ୍ତର ଶ୍ରେଣୀକକ୍ଷ ଆଦି ବିଭିନ୍ନ ବ୍ଲକ ସମ୍ପର୍କିତ ଡିଜାଇନ ବୁଲି ଦେଖିବା ପରେ ମୁଖ୍ୟ ସଚିବ ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ଠାକୁରଙ୍କ ଦର୍ଶନ କରିଥିଲେ।

ଆସନ୍ତା ବର୍ଷ ଏପ୍ରିଲରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କାମ ଶେଷ ହେବ ବୋଲି ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ବାର ସମ୍ମୁଖରେ ମହାପାତ୍ର ସୂଚନା ଦେଇଥିଲେ। ମୁଖ୍ୟ ସଚିବଙ୍କ ସହିତ ଜିଲାପାଳ ସମର୍ଥ ବର୍ମା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ପ୍ରତ୍ନତତ୍ତ୍ୱବିଭାଗ ସୁପରିଟେଣ୍ଡେଣ୍ଟ ଅଶ୍ବିନୀ ଶତପଥୀ, ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂହ, ବିଡିଓ ଲୋଚନ ଦାସ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ, ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ।

Share