ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୫।୧୧(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା ଲାଗି ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲାରେ ଦୁଇ ବରିଷ୍ଠ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମା ଓ ଯାମିନୀ କାନ୍ତ ଷଡ଼ଙ୍ଗୀ ବୁଧବାର ଲୋକାୟୁକ୍ତଙ୍କ ନିକଟରେ ଦ୍ୱିତୀୟଥର ପାଇଁ ହାଜର ହୋଇଛନ୍ତି। ଶୁଣାଣିବେଳେ ସେମାନେ ଉପସ୍ଥିତ ରହି ଲୋକାୟୁକ୍ତଙ୍କ କେତେକ ପ୍ରଶ୍ନର ଉତ୍ତର ରଖିଛନ୍ତି। ଏହାପରେ ଲୋକାୟୁକ୍ତ ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଲୋକାୟୁକ୍ତଙ୍କ ଅଦାଲତରେ ସୁଦର୍ଶନ ଦାସ ଦାଖଲ କରିଥିବା ପିଟିଶନର ବୁଧବାର ଶୁଣାଣି ହୋଇଥିଲା। ଏହି ସମୟରେ ସରକାରଙ୍କ ପକ୍ଷରୁ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ କାନ୍ତ ଷଡଙ୍ଗୀ ଉପସ୍ଥିତ ଥିବାବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଲୋକାୟୁକ୍ତଙ୍କ ନିକଟରେ ଏକ ଉତ୍ତର ଫର୍ଦ୍ଦ ଦାଖଲ କରିଥିଲେ। କୋଭିଡ୍‌ ମୁକାବିଲା ପାଇଁ ଗଠିତ କ୍ରୟ କମିଟିକୁ କାହିଁକି ବାରମ୍ବାର ପରିବର୍ତ୍ତନ କରାଗଲା, ସ୍ବାସ୍ଥ୍ୟ ସଚିବଙ୍କ ପରିବର୍ତ୍ତେ ଶିଳ୍ପ ସଚିବ କାହିଁକି କମିଟି ଅଧ୍ୟକ୍ଷ ହେଲେ ଓ ପରେ କମିଟିରୁ ବିଦା ହେବା ପ୍ରସଙ୍ଗକୁ ନେଇ ଲୋକାୟୁକ୍ତ ଦୁଇ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ କମିଟିରେ ପରିବର୍ତ୍ତନ ହୋଇଥିବା ଉଭୟ ଅଧିକାରୀ କହିବାପରେ ଲୋକାୟୁକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲେ। ନଭେମ୍ବର ୨୩ ସୁଦ୍ଧା କୋଭିଡ୍‌ କିଟ୍‌ କ୍ରୟ କମିଟି ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ମୁଖ୍ୟ ଶାସନ ସଚିବଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଯେଉଁ ସମୟରେ ୨ରୁ ୮ ଟଙ୍କା ମଧ୍ୟରେ ମାସ୍କ କିଣାଯାଉଥିଲା ସେତେବେଳେ ଓଡିଶା ମେଡିକାଲ କର୍ପୋରେଶନ ୧୬ ଟଙ୍କାରେ କାହିଁକି ମାସ୍କ କିଣିଲେ ବୋଲି ଆବେଦନକାରୀ ସୁଦର୍ଶନ ଦାସ ପ୍ରଶ୍ନ କରିଥିଲେ। ପ୍ରତିପକ୍ଷର ସମସ୍ତ ଉତ୍ତର ପାଇସାରିବା ପରେ ସେସବୁକୁ ଅନୁଧ୍ୟାନ କରି ଆବେଦନକାରୀଙ୍କୁ ପ୍ରତ୍ୟୁତ୍ତର ରଖିବା ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍‌ ଅଜିତ ସିଂ ଏବଂ ସଦସ୍ୟ ଜଷ୍ଟିସ୍‌ ବିଜୟ କୁମାର ନାୟକଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଥିଲା।