କେନ୍ଦୁଝର,୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ୫ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ କେନ୍ଦୁଝର ଜିଲାର ବିକାଶକୁ ନୂତନ ଦିଗ ଦେବ ବୋଲି ଆଶା କରାଯାଉଛି। ଏହି ଅବସରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ତଥା ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ନାଏକ, କେନ୍ଦୁଝର ଗଡ଼ ପୌରାଧ୍ୟକ୍ଷା ନିକୁ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫.୫୬ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ଟେକ-ବିଜନେସ ପାର୍କର ଭୂମିପୂଜନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୨୩୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ଉତ୍ତର ଓଡ଼ିଶାର ଅନ୍ୟତମ ଆଧୁନିକ ଓ ପ୍ରମୁଖ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଭାବେ ଗଢ଼ିଉଠିବାର ଲକ୍ଷ୍ୟ ରହିଛି।
ସେହିପରି ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ୧୬୨ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କିତ କୋଠା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ପ୍ରକଳ୍ପ ଅନ୍ତର୍ଗତ ଉଚ୍ଚଶିକ୍ଷା ବିଭାଗ (HED) ପକ୍ଷରୁ ୯୦ କୋଟି ଟଙ୍କା ବ୍ୟୟରେ ଆସବାବପତ୍ର ସହିତ ୩ଟି ଏକାଡେମିକ କୋଠା ନିର୍ମାଣ କରାଯିବ। ଏଥିସହ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଏବଂ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନର୍ମାଣ ପାଇଁ ପ୍ରତ୍ୟେକରେ ୧୧ କୋଟି ଟଙ୍କା ଲେଖାଏଁ ବ୍ୟୟ କରାଯିବ।
ଏହାବ୍ୟତୀତ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରୁ ୫୦ କୋଟି ଟଙ୍କା ବ୍ୟୟରେ ଏକ ପ୍ରଶାସନିକ କୋଠା ସହିତ କୃତ୍ରିମ ବୁଦ୍ଧିମତ୍ତା(AI), ସାଇବର ସୁରକ୍ଷା, ଅଗମେଣ୍ଟେଡ ଓ ଭର୍ଚୁଆଲ ରିଆଲିଟି (AR/VR), ଡିଜିଟାଲ ଟୁିନ୍, ଆନିମେସନ ଓ ଡିଜିଟାଲ ମିଡିଆ ଆଦି କ୍ଷେତ୍ରକୁ ନେଇ ଏକ ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା କରାଯିବ।
ଅନ୍ୟପକ୍ଷରେ କେନ୍ଦୁଝର ଜିଲା ଚିକିତ୍ସା ଓ ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିଉଠିବାକୁ ଯାଉଛି। ଏଥିପାଇଁ ୭ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ କୋଠା ନିର୍ମାଣ ନିମନ୍ତେ ୫୮ କୋଟି ୪୦ ଲକ୍ଷ ଟଙ୍କା ଏବଂ ୧୦ ମହଲା ବିଶିଷ୍ଟ ନର୍ସିଂ କଲେଜ କୋଠା ନିର୍ମାଣ ପାଇଁ ପ୍ରାୟ ୬୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୂର୍ବରୁ ଜିଲାରେ ମେଡିକାଲ କଲେଜ ଥିବା ବେଳେ ଡେଣ୍ଟାଲ ଓ ନର୍ସିଂ କଲେଜ ପ୍ରତିଷ୍ଠା ହେବା ଦ୍ୱାରା ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ଗଢ଼ିଉଠିବ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମଧ୍ୟ ଅଧିକ ସୁଦୃଢ଼ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗକୁ ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ମାଆ ଓ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟସେବା ଅଧିକ ସୁଗମ ଓ ଉନ୍ନତ ହୋଇପାରିବ। ସେହିପରି ୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ମଡୁଲାର ଅପରେଶନ ଥିଏଟର (OT) କମ୍ପ୍ଲେକ୍ସକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ୫ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହିସବୁ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ଜିଲାର ଭିତ୍ତିଭୂମି ବିକାଶକୁ ନୂତନ ଗତି ଦେବା ସହ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।