କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌, ପ୍ରଶଂସା

ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍‌ କଲ୍‌ଟିଏ ପାଇ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ କର୍ମୀ କିନ୍ନର ଚିନ୍ମୟୀ ଦାସଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରିବା ସହ ପ୍ରଶଂସା କରିଛନ୍ତି। ମହାମାରୀ ସମୟରେ ଚିନ୍ମୟୀଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ଅନେକ ଉଚ୍ଚପଦସ୍ଥ ଅଧିକାରୀ, ରାଜନେତା ମଧ୍ୟ ଟୁଇଟ୍‌ କରି ଚିନ୍ମୟୀଙ୍କୁ ଉତ୍ସାହିତ କରିଛନ୍ତି।
ଜଗତ୍‌ସିଂହପୁର ଜିଲାର ମୂଳ ନିବାସୀ ଚିନ୍ମୟୀ କିଛି ବର୍ଷ ହେଲା ଅନୁଗୋଳ ଜିଲାରେ ରହୁଛନ୍ତି। ଜରପଡାଠାରେ ତାଙ୍କର ଏକ ଛୋଟ ଲେଡିଜ୍‌ କର୍ନର ଅଛି। ସେଥିରୁ ଯାହା ଅର୍ଥ ଉପାର୍ଜନ ହୁଏ, ସେଥିରେ ସେ ନିଜେ ଚଳିବା ସହ ଅସହାୟ ଲୋକଙ୍କୁ ସହାୟତା ଯୋଗାଇବାରେ ବ୍ୟୟ କରନ୍ତି। ପୂର୍ବରୁ ରୋଗୀଙ୍କ ସେବା କରି ଆସୁଥିବା ଚିନ୍ମୟୀ ବର୍ତ୍ତମାନ ମହାମାରୀ ସମୟରେ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ସତ୍କାର କରିବାରେ ଲାଗିପଡ଼ିଛନ୍ତି। ତାଙ୍କ ସହାୟତା ଲୋଡ଼ୁଥିବା ପରିବାର ନିକଟରେ ପହଞ୍ଚି ନିଜ ସୁବିଧାରେ ମୃତଦେହ ନେଇ ଦାହ କରୁଛନ୍ତି। ଏଥିପାଇଁ କାହାଠାରୁ ଟଙ୍କାଟିଏ ସେ ନିଅନ୍ତି ନାହିଁ। ଏପରି ମହତ୍‌ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ୧୨ଟା ୭ ମିନିଟ୍‌ରେ ଚିନ୍ମୟୀଙ୍କୁ ଫୋନ କରିଥିଲେ। ୪୦ ସେକେଣ୍ଡର କଥାବାର୍ତ୍ତା ମଧ୍ୟରେ କୋଭିଡ୍‌ ସମୟରେ ଗରିବ, ଅସହାୟଙ୍କ ଶବ ସତ୍କାର କରି ସେ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ଓ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଚିନ୍ମୟୀ ପ୍ରକାଶ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍‌ ମଧ୍ୟ କରିଛନ୍ତି। ସେହିପରି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା, ନରସିଂହ ଭୋଳଙ୍କ ସମେତ ଅନେକ ନେତା ଚିନ୍ମୟୀଙ୍କୁ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଚିନ୍ମୟୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌ ତାଙ୍କୁ ଅଧିକ ପ୍ରେରଣା ଦେଇଛି। ଆଗାମୀ ଦିନରେ ସେ ଅଧିକରୁ ଅଧିକ ଗରିବ, ଅସହାୟ ଲୋକଙ୍କୁ ସହାୟତା କରିବେ।