କେସିଙ୍ଗା,୧୮।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ବୁଧବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କେସିଙ୍ଗାର ୧୨ଟି ୱାର୍ଡର ବିଭିନ୍ନ ଜାଗାରେ ହିତାଧିକାରୀଙ୍କୁ ବୁଧବାର ଠାରୁ ଆରମ୍ଭ କରାଯାଇଛି ।
ଉକ୍ତ ଯୋଜନାରେ ମୁଣ୍ଡ ପିଛା ମାସକୁ ଅଧିକ ୫ କେଜି ଚାଉଳ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ମିଳୁଥିଲା । ଗତକାଲି ଠାରୁ ପ୍ରତି ହିତାଧିକାରୀଙ୍କୁ ୧୦ କେଜି ଲେଖାଏଁ ବଣ୍ଟନ କରାଯାଇଛି । ଉକ୍ତ ଅନ୍ନପୂର୍ଣ୍ଣା ଯୋଜନାରେ ପିଛିଲା ୩ ମାସର ଚାଉଳ ଦିଆଯାଇଛି । ଏହି ଯୋଜନା ଆରମ୍ଭ ହେବା ଠାରୁ ତଦାରଖ ସୁବଣ୍ଟନର ବ୍ୟବସ୍ଥା ତଦାରଖ କରିବା ପାଇଁ ବୁଧବାର ଚାଉଳ ବିତରଣ କେନ୍ଦ୍ରରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ବ୍ଲକ ସହ ଯୋଗାଣ ଅଧିକାରୀ ସୁଶାନ୍ତ ସ୍ୱାଇଁ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗାଣ କେନ୍ଦ୍ରରେ ଉପସ୍ଥିତ ରହି ତଦାରଖ କରିଥିଲେ।
ଏଠାରେ ପ୍ରକାଶ ଥାଉକି ଉକ୍ତ ଯୋଜନାରେ କେସିଙ୍ଗା ବ୍ଲକର ପ୍ରାୟ ୩୦ ହଜାର ରାସନ କାର୍ଡଧାରୀ ଓ କେସିଙ୍ଗା ଏନଏସିର ପ୍ରାୟ ୩ ହଜାର ୬ ଶହ ରାସନ କାର୍ଡଧାରୀ ଉପକୃତ ହେବେ ବୋଲି ସହ ଯୋଗାଣ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।