ରାଜ୍ୟବାସୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ: ଉଦ୍‌ଘାଟିତ ହେବ କ୍ୟାନସର ହସ୍ପିଟାଲ

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ଼ ଗସ୍ତରେ ଯିବାର କାର୍ଯକ୍ରମ ରହିଛି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟାରେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ, ବରଗଡ଼ କ୍ୟାନସର ହସ୍ପିଟାଲ, ନୃସିଂହନାଥ ରୂପାନ୍ତରୀକରଣ ପ୍ରକଳ୍ପର ଉଦ୍‌ଘାଟନ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ମିନିଟରେ ନବୀନ ନିବାସରୁ ବାହାରି ୧୦ଟା ୩୫ମିନିଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପହଞ୍ଚିବେ । ସେଠାରୁ ପୂର୍ବାହ୍ନ ୧୦ଟା ୪୦ମିନିଟ୍‌ରେ ସୁପର କିଙ୍ଗ୍‌ ଏୟାର ବି ୨୦୦ ଭିଟି-ଇଏଚ୍‌ବି ଏୟାରକ୍ରାଫ୍ଟ ଯୋଗେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ ଅଭିମୁଖେ ଆସିବେ ।

ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ରେ ସତୀଭଟା ଏୟାରଷ୍ଟ୍ରିପକୁ ମୁଖ୍ୟମନ୍ତ୍ରୀ ପହଞ୍ଚିବେ ଏବଂ ସେଠାରେ ଓହ୍ଳାଇ ପୂର୍ବରୁ ରହିଥିବା ଅନ୍ୟ ଏକ ହେଲିକ୍ୟାପଟର ଅଗଷ୍ଟା ୧୦୯ ଭିଟି-ଓଏସ୍‌ଏଚ୍‌ ଯୋଗେ ପୂର୍ବାହ୍ନ ୧୧ଟା ୩୫ମିନିଟ୍‌ରେ ବିଜେପୁର ବ୍ଲକ କନାପାଲି ପମ୍ପ ହାଉନ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ ଅଭିମୁଖେ ଯିବେ । ଉକ୍ତ ହେଲିପ୍ୟାଡ଼କୁ ୧୧ଟା ୫୫ମିନିଟ୍‌ରେ ପହଞ୍ଚିବେ ଏବଂ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ପମ୍ପ ହାଉସ ପରିଦର୍ଶନ ସହିତ ଉକ୍ତ ପ୍ରକଳ୍ପର ଡେମୋନ୍‌ଷ୍ଟ୍ରେଶନ ଦେଖିବାର କାର୍ଯ୍ୟକ୍ରମ ରହିଛି।

ସେଠାରୁ ନିକଟସ୍ଥ ବିଜେପୁର ଷ୍ଟାଡ଼ିୟମର କାର୍ଯ୍ୟକ୍ରମ ସ୍ଥଳୀକୁ ଯାଇ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପ୍ରକଳ୍ପଗୁଡ଼ିକର ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କରି ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେବେ । କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ୧୨ଟା ୨୭ମିନିଟରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ସତୀଭଟା ଏୟାରଷ୍ଟ୍ରିପକୁ ଯିବେ ଏବଂ ସେଠାରୁ ପୁଣି ୧୨ଟା ୫୫ମିନିଟ୍‌ରେ ଏୟାରକ୍ରାଫ୍ଟ ଯୋଗେ ନବୀନ ନିବାସ ଅଭିମୁଖେ ଫେରିଯିବା କାର୍ଯ୍ୟକ୍ରମ ରହିଛି।