ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ବିଜେଡି ଦେବ ସମ୍ବର୍ଦ୍ଧନା

ଭୁବନେଶ୍ବର,୨ା୯(ବ୍ୟୁରୋ): ଆସନ୍ତା ୪ ତାରିଖରେ ନୂଆଦିଲ୍ଲୀଠାରେ କ୍ୟାପିଟାଲ ଫାଉଣ୍ଡେଶନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ସଫଳ ଓ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଥିବାରୁ ଶୁଭେଚ୍ଛା ଜଣାଇବା ପାଇଁ ଛାତ୍ର ଓ ଯୁବ ବିଜେଡି କର୍ମକର୍ତ୍ତା ଦିଲ୍ଲୀ ଗସ୍ତ କରିବେ। ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସେଣ୍ଟରଠାରେ ଆୟୋଜିତ ହେବାକୁ ଥିବା ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ଯୋଗଦେବେ ବୋଲି ଜଣାପଡିଛି। ବିଜେଡି ସଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହେବ। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟଙ୍କ ପରିଚାଳନାରେ ଏବଂ ଛାତ୍ର ବିଜେଡି ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଓ ଯୁବ ଜନତା ଦଳର ସମସ୍ତ ଜିଲା ସଭାପତିଙ୍କ ସମେତ ସମସ୍ତ ରାଜ୍ୟ କର୍ମକର୍ତ୍ତା ଯୋଗଦାନ କରିବେ ବୋଲି ସୂଚନା ଦିଆଯାଇଛି। ଛାତ୍ର ବିଜେଡି ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଉଥିବାରୁ ଯୁବ ଓ ଛାତ୍ର ଜନତା ଦଳ ଉତ୍ସାହିତ। ଏହା ଛାତ୍ର ଓ ଯୁବ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଶକ୍ତି ସଞ୍ଚାର କରିବ। ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଫେରିବା କାର୍ଯ୍ୟକ୍ରମ ଥିବାରୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯିବା ପାଇଁ ବହୁ ନେତାଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ୫୦୦ ଲେଖାଏ କର୍ମୀଙ୍କୁ ଡକାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି।