ଆଜି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୨୩ା୧୧(ଅଶୋକ କୁମାର ସାହୁ): ବାତ୍ୟା ଅକ୍ୱାନ କ୍ଷୟକ୍ଷତି ଅଞ୍ଚଳ ଅନୁଧ୍ୟାନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲା ଗସ୍ତ କରିବେ। ସେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଗସ୍ତ କରି ପୁରୁଷୋତ୍ତମପୁର ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ହୋଇଥିବା ହାଣ୍ଡିଘର, ବଳରାମପଲ୍ଲୀ ଅଞ୍ଚଳ ବୁଲିବେ। ସେଠାରୁ ଛତ୍ରପୁର ବ୍ଲକର ବଉଳଗାଁ ଅଞ୍ଚଳ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ ବୋଲି ରାଜ୍ୟ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ ସଭାଗୃହରେ ରବିବାର ରବି ବିହନ ବଣ୍ଟନ ମେଳାରେ ଚାଷୀଙ୍କୁ ବିହନ ବଣ୍ଟନ ପରେ ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଖଣି ମନ୍ତ୍ରୀ ଜେନା କହିଛନ୍ତି, ବାତ୍ୟା ଅର୍ଣ୍ଣବ ଓ ଅକ୍ୱାନରେ ଗଞ୍ଜାମ ଜିଲାର ଆସିକା, ଶେରଗଡ, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, ସୋରଡା, ଛତ୍ରପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି ଚାଷୀଙ୍କ ଶୀତଦିନିଆ ଫସଲ ଓ ଧାନ ଫସଲ ନଷ୍ଟ ହୋଇଛି। ଏହାକୁ ଗୁରୁତ୍ୱ ଦେଇ ଚାଷୀଙ୍କୁ ଆଗାମୀ ରବି ଋତୁରେ ହେଉଥିବା ଚାଷ ପାଇଁ ବିହନ ବଣ୍ଟନ କରାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଞ୍ଜାମ ଗସ୍ତ କରି ଅର୍ଣ୍ଣବ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। କ୍ଷୟକ୍ଷତି ମଧ୍ୟ ଆକଳନ ହୋଇଛି। ଖୁବ୍‌ଶୀଘ୍ର କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ। ସୋମବାର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତ କରୁଥିବା ସୂଚନା ଦେଇ ଖଣିମନ୍ତ୍ରୀ ଜେନା କହିଥିଲେ, ବିଧାନସଭା ଅଧିବେଶନ ଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ସ୍ବଳ୍ପ ସମୟ ପାଇଁ ଗଞ୍ଜାମ ଗସ୍ତ କରି ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily

Share