ଘୁମୁସର ଗସ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ: ସିଭିଲ ସୋସାଇଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଘୁମୁସର ଅଞ୍ଚଳରେ ବନ୍ୟା, ବାତ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ସହ କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ ନିମନ୍ତେ ଘୁମୁସର ସିଭିଲ ସୋସାଇଟି ପକ୍ଷରୁ ଭଞ୍ଜନଗର ଆର୍‌ଏମ୍‌ସି ସଭାକକ୍ଷରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଆଇନଜୀବୀ ସୋମନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ।

ବୈଠକରେ ପାରିତ ପ୍ରସ୍ତାବ ଅନୁଯାୟୀ, ସୋରଡ଼ା, ଭଞ୍ଜନଗର ଓ ଡହ ଅଞ୍ଚଳର ଡ୍ୟାମ୍‌ ଏବଂ ନଦୀବନ୍ଧଗୁଡ଼ିକର ସୁଦୃଢ଼ୀକରଣ, ଦୁର୍ବଳ ନଦୀବନ୍ଧର ତୁରନ୍ତ ମରାମତି, ବାଉଁଶଲୁଣ୍ଡି ପଞ୍ଚାୟତରେ ମଞ୍ଜୁର ହୋଇଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀର ନିର୍ମାଣ ଏବଂ ଭଞ୍ଜନଗରରେ ସ୍ଥାୟୀ ଓଡ୍ରାଫ୍‌ ୟୁନିଟ୍‌ ସ୍ଥାପନ ପାଇଁ ଦାବି ହୋଇଥିଲା।

ସେହିପରି କଳିଙ୍ଗା ଘାଟି ଓ ଗିଡ଼ିପାବାଲି ଅଞ୍ଚଳରେ ଭୂସ୍ଖଳନର ମୁକାବିଲା ପାଇଁ ସ୍ୱତନ୍ତ୍ର ଉଦ୍ଧାରକାରୀ କେନ୍ଦ୍ର ସ୍ଥାପନ, ନଦୀରୁ ବେଆଇନ ବାଲି ଖନନ ବନ୍ଦ, ନଦୀଗର୍ଭରୁ ପଙ୍କ ଓ ଘାସ ସଫା, ଜବରଦଖଲ ଉଚ୍ଛେଦ ଏବଂ ଡ୍ୟାମ୍‌ରୁ ଜଳ ନିଷ୍କାସନ ପୂର୍ବରୁ ନିମ୍ନ ଅବବାହିକାରେ ରହୁଥିବା ଲୋକଙ୍କୁ ଆଗୁଆ ସୂଚନା ପ୍ରଦାନ ଭଳି ପ୍ରସ୍ତାବ ରଖାଯାଇଥିଲା।

ସମ୍ପ୍ରତି ବନ୍ୟା ଓ ବାତ୍ୟାରେ ପ୍ରାୟ ୨ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁ କୃଷି, ବାଣିଜ୍ୟ, ବାସଗୃହ, ରାସ୍ତାଘାଟ ଓ ଗୃହପାଳିତ ପଶୁଙ୍କ ବ୍ୟାପକ କ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ଘୁମୁସରର ବିକାଶ ଓ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଦାବିରେ ସିଭିଲ ସୋସାଇଟିର ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କୁ ଭଞ୍ଜନଗର ଗସ୍ତ କରିବାକୁ ଅନୁରୋଧ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା।

ଏହି ବୈଠକରେ ବୁଗୁଡ଼ା, ଶେରଗଡ଼, ବେଲଗୁଣ୍ଠା, ସୋରଡ଼ା, ଜଗନ୍ନାଥପ୍ରସାଦ, ଭଞ୍ଜନଗର, ଆସିକା ଓ ଧରାକୋଟ ଅଞ୍ଚଳର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସିଭିଲ ସୋସାଇଟିର ପ୍ରତିନିଧିମାନେ ଯୋଗଦେଇଥିଲେ। ଶିକ୍ଷାବିତ୍‌ ଉଷା ପାଢ଼ୀ ଓ ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ ବୈଠକର ସଂଯୋଜନା କରିଥିବାବେଳେ ଶେଷରେ ସୁଶାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Share