ଛତ୍ରପୁରରେ ବାତ୍ୟା-ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କ୍ଷତିପୂରଣରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୨୩।୧୧(ଦିଲୀପ ସାମଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଗଞ୍ଜାମ ଚିଲା ଗସ୍ତରେ ଆସି ବାତ୍ୟା ଏବଂ ବନ୍ୟା ଯୋଗୁ ଜିଲାରେ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଲୋକଙ୍କୁ ରିଲିଫ ଓ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗଞ୍ଜାମ ଗସ୍ତରେ ଆସିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଷୋତ୍ତମପୁର ବ୍ଲକ୍‌ ହାଣ୍ଡିଘର ଅଞ୍ଚଳରେ ପହଞ୍ଚି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିଥିଲେ। ସେଠାରେ ଫସଲ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ଛତ୍ରପୁରସ୍ଥିତ ଡିଆର୍‌ଡିଏ କାର୍ଯ୍ୟାଳୟରେ ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜିଲାରେ ହୋଇଥିବା କ୍ଷୟକ୍ଷତି, ରିଲିଫ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା।

ସମସ୍ତ ପ୍ରଭାବିତ ଅଞ୍ଚଳକୁ ଅଧିକାରୀମାନେ ନିଜେ ଯାଇ କ୍ଷୟକ୍ଷତିର ସଠିକ ଆକଳନ କରିବା ସହ ଯେପରି କୌଣସି ଚାଷୀ କ୍ଷତିପୂରଣରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସ୍ବତନ୍ତ୍ର ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଜିଲାର ସମସ୍ତ ଦଳୀୟ ବିଧାୟକ, ଦୁଇ ସାଂସଦଙ୍କ ସମେତ ଆର୍‌ଡିସି ବିଜୟ ଅମୃତ କୁଲାଙ୍ଗେ, ଜିଲାପାଳ ଭି. କୀର୍ତ୍ତି ଭାସନ, ଡିଆର୍‌ଡିଏ ପିଡି ସମୀର ଜେନା, ଉପଜିଲାପାଳ ଓ ଜିଲ୍ଲାର ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ। ହେଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ବୈଠକରେ ଅନୁପସ୍ଥିତ ଥିଲେ।

Share