ବାତ୍ୟା ପ୍ରଭାବିତଙ୍କ ଦୁଃଖ ବୁଝିବାକୁ ଗଞ୍ଜାମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ସ୍ଥିତି ସମୀକ୍ଷା କରି…

ଗଞ୍ଜାମ,୨୩ା୧୧: ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ତଦାରଖ ଓ ସ୍ଥିତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ସୋମବାର ଗଞ୍ଜାମରେ ପହଞ୍ଚିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଆସି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଛନ୍ତି। ଏହି ଗସ୍ତରେ ତାଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବା ପରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ।

ରଙ୍ଗେଇଲୁଣ୍ଡାରୁ ବାହାରି ମୁଖ୍ୟମନ୍ତ୍ରୀ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ପୁରୁଷୋତ୍ତମପୁର ଅଞ୍ଚଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଚାଷ ଜମି, ଘରଦ୍ୱାର ଏବଂ ଭିତ୍ତିଭୂମିର କ୍ଷୟକ୍ଷତି ନିଜେ ବୁଲି ଦେଖିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବେ।

ଏହାପରେ ମୁଖ୍ୟମନ୍ତ୍ରୀ ଜିଲା ସଦର ମହକୁମା ଛତ୍ରପୁର ଗସ୍ତ କରିବେ। ସେଠାରେ ଜିଲାପାଳ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ରିଲିଫ୍, ପୁନରୁଦ୍ଧାର କାର୍ଯ୍ୟ ଏବଂ କ୍ଷୟକ୍ଷତି ଆକଳନ ରିପୋର୍ଟ ଉପରେ ବିସ୍ତୃତ ସମୀକ୍ଷା କରିବେ।

ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ସହାୟତା ଯୋଗାଇ ଦେବା ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ କରି ରିପୋର୍ଟ ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ ବୋଲି ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share