ଭୁବନେଶ୍ୱର,୨୬।୧୧(ସୁନିତ୍ ମିଶ୍ର): ବିଭିନ୍ନ ବିଭାଗରେ ସମାନ ଶିକ୍ଷାଗତ ଯୋଗ୍ୟତା, ବିଷୟ ଏବଂ ଦାୟିତ୍ୱ ଆବଶ୍ୟକ କରୁଥିବା ସରକାରୀ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଏକ ମିଳିତ ପରୀକ୍ଷା ଆୟୋଜନ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ପ୍ରସ୍ତାବ ଦେଇଛନ୍ତି। ସମୟାନୁବର୍ତ୍ତୀ ଓ ସ୍ବଚ୍ଛ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର୍ର ଆବଶ୍ୟକତା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ପରୀକ୍ଷା ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ସଦସ୍ୟମାନଙ୍କ ସହ ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି। ଛାତ୍ରୀଛାତ୍ର ଓ ଯୁବ ଆଶାୟୀମାନଙ୍କ ପାଇଁ ଏକ ନିରପେକ୍ଷ ଓ ନିର୍ଭରଯୋଗ୍ୟ ନିଯୁକ୍ତି ବ୍ୟବସ୍ଥାର ଆବଶ୍ୟକତା ଉପରେ ଜୋର୍ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପରୀକ୍ଷାଗୁଡ଼ିକୁ ସମୟବଦ୍ଧ ଏବଂ ସ୍ବଚ୍ଛ ଭାବେ ପରିଚାଳନା କରାଯିବା ସହ ଅନାବଶ୍ୟକ ବିଳମ୍ବ ନ କରି ଫଳାଫଳ ପ୍ରକାଶ କରାଯିବା ଉଚିତ। ଛାତ୍ରୀଛାତ୍ର ଓ ଯୁବପିଢ଼ିଙ୍କୁ ଏକ ନିରପେକ୍ଷ, ସମୟବଦ୍ଧ ଓ ବିଶ୍ୱସନୀୟ ନିଯୁକ୍ତି ପ୍ରକ୍ରିୟା ପ୍ରଦାନ କରିବା ହିଁ ଆମର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସ୍କୁଲ ବୋର୍ଡ ପରୀକ୍ଷା, ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ଏବଂ ନିଯୁକ୍ତି ପରୀକ୍ଷା ସମେତ ବିଭିନ୍ନ ପରୀକ୍ଷାରେ ସଂସ୍କାର ପାଇଁ ସୁପାରିସ କରିବାକୁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ବର୍ତ୍ତମାନର ପରୀକ୍ଷା ବ୍ୟବସ୍ଥାର ଆକଳନ ଓ ପରାମର୍ଶ ସଂଗ୍ରହ ପାଇଁ ଏହି ଟାସ୍କଫୋର୍ସ ବିଭିନ୍ନ ରାଜ୍ୟ ଗସ୍ତ କରୁଛି। ଓଡ଼ିଶାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ ତପନ କୁମାର ଡେକା, ଅନୀତା କରୱାଲ, ପ୍ରଫେସର ଭି. କାମକୋଟି ଏବଂ ଶାଳିନୀ ମହାଜନ ପ୍ରମୁଖ ସାମିଲ ଥିଲେ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୪ ଜୁନ୍ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ପରିଚାଳିତ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ୫୨,୫୧୪ଟି ନିଯୁକ୍ତି ପ୍ରଦାନ କରିଛନ୍ତି। ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବା ପାଇଁ ରାଜ୍ୟ ସରକାର ନେଇଥିବା ଏକାଧିକ ସଂସ୍କାରମୂଳକ ପଦକ୍ଷେପକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏଗୁଡ଼ିକ ମଧ୍ୟରେ ‘ଓଡ଼ିଶା ପବ୍ଲିକ ଏଗ୍ଜାମିନେସନ୍ସ (ପ୍ରିଭେନସନ ଅଫ ଅନଫେୟାର ମିନ୍ସ) ଆକ୍ଟ, ୨୦୨୪’ ଲାଗୁ କରିବା, ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରିବା, ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ଉଦ୍ୟମ ସଂଖ୍ୟା ସୀମାକୁ ଉଠାଇଦେବା ଏବଂ ୟୁନିଫର୍ମଡ୍ ସର୍ଭିସେସ୍ ପାଇଁ ଏକ ପୃଥକ୍ ଷ୍ଟାଫ ସିଲେକ୍ସନ କମିଶନ ପ୍ରତିଷ୍ଠା କରିବା ସାମିଲ ରହିଛି।
ପ୍ରଶାସନିକ ବ୍ୟବସ୍ଥା, ନିୟମ ଓ କାର୍ଯ୍ୟପଦ୍ଧତିକୁ ସରଳ କରିବା ଏବଂ ଶାସନକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ରାଜ୍ୟ ସରକାର ଏକ ‘ପ୍ରଶାସନିକ ଓ ଶାସନ ସଂସ୍କାର କମିଟି’ ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଗିରିଶ ଏସ୍.ଏନ୍., ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ତିରୁମାଲା ନାଏକ ବୈଠକରେ ଉପସ୍ଥିତ ରହି ପରୀକ୍ଷା ସଂସ୍କାର ନେଇ ରାଜ୍ୟର ଅନୁଭୂତି ଓ ମତାମତ ରଖିଥିଲେ।