୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ଏହି ବିଷୟରେ ହେବ ଚର୍ଚ୍ଚା

ଭୁବନେଶ୍ୱର,୩୦ା୭ (ସୁନୀତ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଥମ ଦିନ ସନ୍ଧ୍ୟାରେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଏମ୍‌ପିମାନେ ଦେଖାହୋଇଛନ୍ତି। ସେଠାକୁ ଯାଇଥିବା ଜଣେ ଏମ୍‌ପିଙ୍କ ସୂଚନା ମୁତାବକ ପ୍ରତ୍ୟେକ ପାର୍ଲାମେଣ୍ଟ ଅଧିବେଶନ ଚାଲିଥିବା ସମୟରେ ସବୁ ବୁଧବାର ଜଣେ ଜଣେ ଏମ୍‌ପିଙ୍କ ଘରେ ଏକ ଛୋଟିଆ କାର୍ଯ୍ୟକ୍ରମ ଯୋଡ଼ାଯାଇଥାଏ। ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ସେହି ସମୟରେ ଆସି ଯୋଗଦିଅନ୍ତି। ତେଣୁ ଏଭଳି ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ପ୍ରାୟତଃ ସବୁ ଏମ୍‌ପି ଯୋଗଦେଇଥିଲେ। ଗୁରୁବାର ନୂଆଦିଲ୍ଲୀସ୍ଥିତ ଅଶୋକ ଭବନଠାରେ ଜଳଜୀବନ ମିଶନ ବୈଠକ ଅନୁଷ୍ଠିତ ହେବ। ଏହି ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟର ସବୁ ଦଳ ଏମ୍‌ପିମାନଙ୍କୁ ସନ୍ଧ୍ୟା ୬ଟାରେ ଆସି ଯୋଗଦେବାକୁ ଡକରା ହୋଇଛି। ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି .ଆର୍‌. ପାଟିଲ୍‌ ଏବଂ ଓଡ଼ିଶା ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେବେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମାଝୀ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିବା ଶୁଣିବାକୁ ମିଳିଛି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କାର୍ଯ୍ୟକ୍ରମ ବାବଦରେ ନିର୍ଦ୍ଦିଷ୍ଟ ଭାବେ ସୂଚନା ନାହିଁ। ନିକଟରେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଶୁଣାଣି ସମୟରେ କହିଥିଲେ, ଏହି ପ୍ରସଙ୍ଗରେ ଜଳଶକ୍ତି ମନ୍ତ୍ରଣାଳୟ ଏବଂ ସିଡବ୍ଲ୍ୟୁସି ଜଳ ଆବଣ୍ଟନ କ୍ଷେତ୍ରରେ ତୃତୀୟ ପକ୍ଷ ଭାବେ ରହିବେ। ସେହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିପାରନ୍ତି ବୋଲି ଅନୁମାନ କରାଯାଉଛି। ସେହି କ୍ରମରେ ଜଳଜୀବନ ମିଶନ କାର୍ଯ୍ୟକ୍ରମ ନେଇ ସବୁ ରାଜ୍ୟ ସହ କେନ୍ଦ୍ରର ବୈଠକ ହେବ ବୋଲି ଜଣାପଡ଼ିଛି। ତେଣୁ ଛତିଶଗଡ଼ ମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ ଦେଖାହୋଇପାରନ୍ତି।

Odisha’s No.1 Odia Daily