ନଭେମ୍ବର ୧ରେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ: କରିବେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତ କରିବେ । ଏହି ସମୟରେ ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏଥିରେ ଲକ୍ଷ୍ମୀ ବସ୍‌ ଚଳାଚଳ, ଭବାନୀପାଟଣା ଭଙ୍ଗାବାରୀସ୍ଥିତ ନୂତନ ମେଡିକାଲ କଲେଜ, ଆଦର୍ଶ ବସ୍‌ଷ୍ଟାଣ୍ଡ ସହ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବେ ।

ନଭେମ୍ବର ୧ରେ କଳାହାଣ୍ଡି ଜିଲାର ପ୍ରତିଷ୍ଠା ଦିବସ। କଳାହାଣ୍ଡି ଜିଲା ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡିଗସ୍ତକୁ ନେଇ ପୂରା ପଶ୍ଚିମ ଓଡ଼ିଶାରେ ଉତ୍ସାହର ମାହୋଲ ଦେଖାଦେଇଛି। ପଶ୍ଚିମ ଓଡ଼ିଶାର ଲାଇଫଲାଇନ ସାଜିଥିବା ବିଜୁ ଏକ୍ସପ୍ରେସ ଓ୍ବେ ପରେ ଗମନାଗମନର ସୁବିଧା ପାଇଁ କଳାହାଣ୍ଡିରେ ଲକ୍ଷ୍ମୀ ବସ୍‌ ଶୁଭାରମ୍ଭ ହେବ। ଜିଲାର ବିକାଶକୁ ଆଗେଇ ନେଉଥିବା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ପୂରା ପ୍ରସ୍ତୁତ ହୋଇଛି କଳାହାଣ୍ଡି। ପୂଜା ପରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱବହନ କରୁଛି।