କାଳିଆ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ):  ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଯେ, ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। ଅସମୟରେ ଝଡ଼ି ପଡ଼ିଥିବା କାଳିଆର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏଭଳି କଠିନ ସମୟରେ ଜଗାର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ସେହିପରି ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଦୁଇ ଭାଇଙ୍କ ମଧ୍ୟରୁ କାଳିଆର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ। ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ କାଳିଆର ଜୀବନ ବଞ୍ଚାଯାଇ ପାରିଲା ନାହିଁ। ଏପରି ଦୁଃଖଦ ସମୟରେ କାଳିଆର ମା’, ବାପା ଓ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ସେ ଲେଖିଛନ୍ତି।
ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ କାଳିଆ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିବା ସହ ଜଗାର ଚିକିତ୍ସା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଆବଶ୍ୟକ ପଡ଼ିଲେ ପ୍ରଫେସର ଅଶୋକ ମହାପାତ୍ରଙ୍କ ପରାମର୍ଶ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।