ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା (DCA) କୁ ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଭତ୍ତା ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ। ଅର୍ଥାତ ଗୃହରକ୍ଷୀମାନଙ୍କୁ ଚଳିତ ବର୍ଷ ଜାନୁଆରୀ ମାସରୁ ବର୍ଦ୍ଧିତ ଦରରେ ଏହି ଆଲାଉନ୍ସ ମିଳିବ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୨୫ ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତାକୁ ୬୨୩ ଟଙ୍କାରୁ ୬୩୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହା ମଧ୍ୟରେ ରାଜ୍ୟ ସରକାର ନିଜର ନିୟମିତ କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା (DA) ୨୦୨୬ ଜାନୁଆରୀ ପହିଲାରୁ ବୃଦ୍ଧି କରିସାରିଛନ୍ତି।

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଏବଂ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଗୃହରକ୍ଷୀମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ରାଜ୍ୟର ହଜାର ହଜାର ଗୃହରକ୍ଷୀ ଉପକୃତ ହେବେ ବୋଲି କୁହାଯାଉଛି।

Dharitri – Odisha’s No.1 Odia Daily

Share