ଦୁବାଇରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁବାଇରେ ପହଞ୍ଚତ୍ଛନ୍ତି। ଆସନ୍ତା ୨୯ରେ ସେଠାରେ ଇନ୍‌ଭେଷ୍ଟର୍ସ ମିଟ୍‌ ଆୟୋଜନ ହେବ। ମୁଖ୍ୟମନ୍ତ୍ରୀ ବିଦେଶୀ ନିବେଶକଙ୍କ ସହ ସେଠାରେ ସିଧାସଳଖ ଆଲୋଚନା କରିବେ। ଖାଦ୍ୟ ପ୍ରକ୍ରିୟାକରଣରୁ ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରିଜ୍‌ରେ ବ୍ୟାପକ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ନବୀନ ଆମନ୍ତ୍ରଣ କରିବେ। ସରକାରଙ୍କ ସିଙ୍ଗଲ ଓ୍ବିଣ୍ଡୋ ଯୋଗୁ ଓଡ଼ିଶା କିପରି ଏବେ ଇନ୍‌ଭେଷ୍ଟମେଣ୍ଟ ହବ୍‌ରେ ପରିଣତ ହୋଇଛି ସେନେଇ ବୁଝାଇବେ। ଇନ୍‌ଭେଷ୍ଟର୍ସ ମିଟ୍‌ ପରେ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପୂର୍ବରୁ ଅଧିକାରୀମାନେ ବିଭିନ୍ନ କର୍ପୋରେଟ୍‌ କମ୍ପାନୀ ସହ ପୁଞ୍ଜି ନିବେଶର ବାସ୍ତବତା, ସମ୍ଭାବନା ଓ ସୁଯୋଗ ଆଦି ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରୁଛନ୍ତି।
ପୁଞ୍ଜି ନିବେଶ କ୍ଷେତ୍ରରେ ଶୂନ୍‌ରୁ ଶୀର୍ଷରେ ଓଡ଼ିଶା ପହଞ୍ଚିଛି। ଗତ ୨୨ ବର୍ଷରେ ଓଡ଼ିଶାର ଦୃଶ୍ୟପଟ୍ଟ ବଦଳିଛି। କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟସ୍ତରର ବଡ଼ ବଡ଼ କର୍ପୋରେଟ୍‌ କମ୍ପାନୀ ଏବେ ଓଡ଼ିଶାମୁହାଁ ହୋଇଛନ୍ତି। ଇନ୍‌ଭେଷ୍ଟର୍ସ ମିଟ୍‌ ପରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)ର ୭ ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ରାଜ୍ୟର କଳା, ସଂସ୍କୃତିରେ ଭାବ ବିନିମୟ ନେଇ ଆଲୋଚନା କରିବେ। ୨୯ରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀ ଯୋଗଦେବା ପରେ ୩୦ରେ ଦିଲ୍ଲୀରେ ପହଞ୍ଚିବେ। ସେହିଦିନ ରାତିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।