ଏସିଆନ ଗେମ୍ସ ପାଇଁ ଓଡ଼ିଶା ଆଥ୍‌ଲେଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର,୧୪।୯(ତପନ ସ୍ବାଇଁ)ଚାଇନାର ହାଙ୍ଗଝୋଠାରେ ଚଳିତ ମାସ ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏସିଆନ ଗେମ୍ସ ଅନୁଷ୍ଠିତ ହେବ। ଏସିଆର ଏହି ମେଗା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଶାର ୧୩ ଆଥ୍‌ଲେଟ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କ ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ଲେଖାଏର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଅର୍ଥାତ୍‌ ପ୍ରତି ଆଥ୍‌ଲେଟ ୧୦ ଲକ୍ଷ ଟଙ୍କା ଲେଖାଏ ପାଇବେ। ଏସିଆନ ଗେମ୍ସ ଏସିଆ ମହାଦେଶର ସବୁଠାରୁ ବଡ଼ ପ୍ରତିଯୋଗିତା। ଏଥିପାଇଁ ଯୋଗ୍ୟତା ଅର୍ଜନ କରିଥିବା ଏଲିଟ ଆଥ୍‌ଲେଟମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନର ଉପଯୁକ୍ତ ପ୍ଲାଟଫର୍ମ ପାଇଥାନ୍ତି। ଆସନ୍ତା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶା ଆଥ୍‌ଲେଟମାନେ ହେଲେ କିଶୋର କୁମାର ଜେନା (ଆଥ୍‌ଲେଟିକ୍ସ), ଆଂଶିକା ଭାରତୀ, ରିତୁ କୌଡ଼ି ଓ ସୋନାଲି ସ୍ବାଇଁ (ରୋଇଂ), ଅନୁପମା ସ୍ବାଇଁ (ଜୁ-ଜିଟ୍‌ସୁ), ନେହା ଦେବୀ ଲେଇଚୋନଡାମ (କାୟାକିଂ ଆଣ୍ଡ କାନୋଇଂ), ପ୍ୟାରୀ ଖାଖା (ଫୁଟବଲ), ଦୀପ୍‌ ଗ୍ରେସ୍‌ ଏକ୍କା ଓ ଅମିତ ରୋହିଦାସ (ହକି) ଏବଂ ଡୁମୁନି ମାର୍ଣ୍ଡି, ତରୁଲତା ନାଏକ, ମାମା ନାଏକ ଓ ହୁପି ମାଝି (ରଗ୍‌ବୀ)। ଆର୍ଥିକ ପ୍ରୋତ୍ସାହନ ଓଡ଼ିଶା ପ୍ରତିଯୋଗୀଙ୍କ ଟ୍ରେନିଂ ପାଇଁ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏଥିସହ ପ୍ରତିଯୋଗୀମାନେ ଆଗାମୀ ମେଗା ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିବାନେଇ ସେ ଶୁଭକାମନା ଜଣାଇଛନ୍ତି।