୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ

କଟକ ଅଫିସ,୫।୮: ହାଇକୋର୍ଟରେ ବିଭିନ୍ନ ମାମଲାର ସିଧାପ୍ରସାରଣକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବିରୋଧ ଜାରି ରହିଛି। ଆସନ୍ତା ୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ଆଇନଜୀବୀଙ୍କ ପକ୍ଷରୁ ବର୍ଜନ କରାଯାଇଥିବା ବୁଧବାର ଆସୋସିଏଶନର ସାଧାରଣ ପରିଷଦ ବୈଠକରେ ସ୍ଥିର ହୋଇଛି। ଏଥିସହ ଯେଉଁ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଊପସ୍ଥିତ ରହିଛନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଓକିଲ ସଂଘ ସମ୍ପାଦକ ଡ. ଜେ.କେ. ଲେଙ୍କା ସୂଚନା ଦେଇଛନ୍ତି। ସଂଘ ସଭାପତି ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଉପସଭାପତି ଦେବୀପ୍ରସାଦ ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଗତ ୨୮ରେ ହାଇକୋର୍ଟରେ ବିଭିନ୍ନ ମାମଲାର ସିଧାପ୍ରସାରଣ କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାର ପରଦିନ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ବିରୋଧ କରାଯାଇ ମୁଖ୍ୟ ବିଚାରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା, ପ୍ରୋସିଡିଂର ସିଧାପ୍ରସାରଣ କରାଯିବା ନିଷ୍ପତ୍ତି ତରବରିଆ ଭାବେ ନିଆଯାଇଛି। ଏହାଦ୍ୱାରା ଖରାପ ପ୍ରଭାବ ଉଭୟ ବିଚାରପତି ଓ ଆଇନଜୀବୀଙ୍କ ଉପରେ ପଡିବ। ଏହି ନିଷ୍ପତ୍ତି ପୂର୍ବରୁ ହାଇକୋର୍ଟ ବାର୍‌ ଆସୋସିଏଶନ ସଦସ୍ୟମାନଙ୍କ ମତାମତ ନେବାର ଥିଲା। ଏଥିପାଇଁ ଉଚ୍ଚ ଡାଟା ସମ୍ପନ୍ନ ସୁରକ୍ଷା ଓ ଗୋପନୀୟତାର ଆବଶ୍ୟକତା ରହିଛି। ଭିତ୍ତିଭୂମି ଓ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ବିନା ଏହା ସମ୍ଭବ ନୁହେଁ। ଏଭଳି କ୍ଷେତ୍ରରେ କୋର୍ଟ ତୃତୀୟ ପକ୍ଷ ଦ୍ୱାରା ପରିଚାଳିତ ହେଉଥିବା ସଫ୍ଟୱେର ଉପରେ ନିର୍ଭର କରି ସିଧା ପ୍ରସାରଣ କରିବା ସହଜ ହେବନାହିଁ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି।