ଓଡ଼ିଆ ଜୀବନଚିତ୍ରର ଛିନ୍ନ ଚୌପଦୀ

ଡ. ପ୍ରଫୁଲ୍ଲ କୁମାର ସାହୁ

ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଥିଲା ସ୍ପର୍ଦ୍ଧିତ ଓଡ଼ିଆ ଜାତି ପାଇଁ ଏକ ସନ୍ଧିଗ୍ଧ କାଳଖଣ୍ଡ। ଏକ ବିପର୍ଯ୍ୟସ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୃଦ୍ଧ ଓଡ଼ିଶା। ସାହେବମାନଙ୍କ ହୁକୁମ୍‌ ଓ ବଙ୍ଗାଳୀମାନଙ୍କ ତାଚ୍ଛଲ୍ୟ ମଝିରେ ବନ୍ଧା ପଡ଼ିଥିଲା ସ୍ବାଭିମାନୀ ଓଡ଼ିଆ ଜାତିର ଭାଗ୍ୟ। ଠିକ୍‌ ଏତିକିବେଳେ ଦାଉ ସାଧିଲା ଦାରୁଣ ପ୍ରକୃତି। ଓଡ଼ିଆ ଜାତିର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା ନ’ଅଙ୍କ ଦୁର୍ଭିକ୍ଷ। ବିପର୍ଯ୍ୟସ୍ତ ହୋଇଗଲା ଓଡ଼ିଆଙ୍କ ଭାଷା, ସାହିତ୍ୟ, ସଂସ୍କୃତି, ସାମାଜିକ ଚଳଣି ଓ ରାଜନୈତିକ ଦୃଶ୍ୟପଟ। ଜାତିର ଏହି ବିପର୍ଯ୍ୟୟ ବେଳେ ପଡ଼ୋଶୀ ବଙ୍ଗାଳୀଙ୍କ ପକ୍ଷରୁ ଆରମ୍ଭ ହେଲା ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ବିଲୋପ କରିଦେବାର ହୀନ ଚକ୍ରାନ୍ତ। ସୌଭାଗ୍ୟବଶତଃ ଏହି କରୁଣ କାଳଖଣ୍ଡରେ କଡ଼ ଲେଉଟେଇଲା ମହାକାଳ। ଗୋଟାଏ କଙ୍କାଳସାର ଜାତି ଦେହରେ ପ୍ରାଣ ସଞ୍ଚାର କରିବା ପାଇଁ ଆଗେଇ ଆସିଲେ ଅନେକ ଯୋଗଜନ୍ମା ଅମୃତ ସନ୍ତାନ। ପ୍ରତିବେଶୀଙ୍କ ଭାଷା ବିଲୋପ ଚକ୍ରାନ୍ତକୁ ପ୍ରତିହତ କରିବା ପାଇଁ ଜାତିପ୍ରାଣ ମାନେ ଏକାଠି ହୋଇ ଲଢ଼ିଲେ । ସେ ବୌଦ୍ଧିକ ଲଢ଼େଇର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀରମୋହନ ସେନାପତି। ତାଙ୍କ ସେହି କଲମ ଚାଳନା ଫଳରେ ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଇତିହାସର ପୃଷ୍ଠଭୂମି ଉପରେ ଠିଆହେଲା ସେନାପତି ସାହିତ୍ୟ। ଓଡ଼ିଆ ଭାଷା ଅସ୍ମିତାର ରଡ଼ନିଆଁରେ ଜଳି ଜଳି ଆମତ୍ପ୍ରକାଶ କଲା ବାସ୍ତବବାଦ୍‌ ଆଧାରିତ ପ୍ରଥମ କ୍ଲାସିକ୍‌ ଆଧୁନିକ ଓଡ଼ିଆ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’। ଶୋଷଣ କଷଣର ଏକ ଜୀବନ୍ତ ଇତିହାସ। ଓଡ଼ିଆ ଚଷାର ବିସ୍ଥାପନ କାହାଣୀ ତଥା ଗୋଟିଏ ଜାତିର ଫୁଙ୍ଗୁଳା ଫର୍ଦ୍ଦ।
ସେହି କାଳଜୟୀ କୃତିର କାହାଣୀ ଚୁମ୍ବକରେ ଏହିପରି। ବ୍ରିଟିଶ ଶାସନାଧୀନ ଉପକୂଳ ଓଡ଼ିଶାର ଗୋବିନ୍ଦପୁର ଗାଆଁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ। ଜମିଦାରର ଲୋଲୁପ ଦୃଷ୍ଟି ପଡ଼ିଛି ସେହି ଗାଆଁର ଅପୁତ୍ରିକ ତନ୍ତୀ ଦମ୍ପତି ଭଗିଆ ଓ ସାରିଆର ଛମାଣ ଆଠଗୁଣ୍ଠ ଜମି ଓ ଦୁଧିଆଳୀ ଗାଈ (ନେତ) ଉପରେ। ଏସବୁକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଜମିଦାର ପକ୍ଷରୁ ଆରମ୍ଭ ହୋଇଛି ଚକ୍ରାନ୍ତ। ଏଥିରେ ପୂର୍ଣ୍ଣ ସହଯୋଗ କରିଛନ୍ତି ଚାକରାଣୀ ଚମ୍ପା, ଗୋବରା ଜେନା ଓ ଅନ୍ୟମାନେ। ସାରିଆର ସରଳ ବିଶ୍ୱାସର ସୁଯୋଗ ନେଇ ମଙ୍ଗରାଜ ହାସଲ କରିଛି ଜମି ଓ ଗାଈର ମାଲିକାନା। ନିଜର ଭାତ ଥାଳି ପରି ଜମି ଛମାଣ ଆଠଗୁଣ୍ଠ ଚକ ହରାଇବା ଫଳରେ ପାଗଳ ହୋଇଯାଇଛି ଭଗିଆ। ଦୁଃଖ, ଅନୁଶୋଚନା ଓ ଅନାହାରରେ ପଡ଼ି ପଡ଼ି ମୃତ୍ୟୁବରଣ କରିଛି ତା’ର ପନତ୍ୀ ସାରିଆ । ସାରିଆର ମୃତ୍ୟୁ ପାଇଁ ମଙ୍ଗରାଜଙ୍କ ନାମରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ତା’ର ବିଚାର ଚାଲିଛି କଟକ ସେସନ ଜଜ୍‌ କୋର୍ଟରେ। ଅପମୃତ୍ୟୁ ମାମଲା ପ୍ରମାଣ ହୋଇପାରିନି ସତ, କିନ୍ତୁ ଗାଈଚୋରି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଛି ମଙ୍ଗରାଜ । ଜେଲ୍‌ ଭିତରେ ଜଣେ ପାଗଳର (ଭଗିଆ) କାମୁଡ଼ାରେ ସଂକ୍ରମିତ ହୋଇ ସେ ମୃତ୍ୟୁବରଣ କରିଛି ଅତି ଦୟନୀୟ ଭାବରେ। ଅପରାଧ ଓ ଶାସ୍ତିର ବଳୟ ଭିତରେ ସୀମିତ ଏଇ ସରଳ କଥାବସ୍ତୁକୁ ନେଇ ଗଢ଼ି ଉଠିଛି ଓଡ଼ିଆ ସାହିତ୍ୟର ସର୍ବଶ୍ରେଷ୍ଠ ଉପନ୍ୟାସ ତଥା ଓଡ଼ିଆ ଜାତିର ମହାପାଠ ”ଛ’ ମାଣ ଆଠଗୁଣ୍ଠ“। ଓଡ଼ିଆ ଗଦ୍ୟ ସାହିତ୍ୟର ଘୋର ଦାରିଦ୍ର୍ୟ କାଳରେ ଏଭଳି ଏକ ସାମାଜିକ ଅନ୍ତର୍ଦୃଷ୍ଟିସମ୍ପନ୍ନ ଉପନ୍ୟାସ ତତ୍‌କାଳୀନ ଭାରତୀୟ ସାହିତ୍ୟ କାହିଁକି ପାଶ୍ଚାତ୍ୟ ସାହିତ୍ୟରେ ବି ବିରଳ। ଜଣେ ସମାଜ ସଂସ୍କାରକ ଭାବେ ଫକୀରମୋହନ ଥିଲେ ପ୍ରଚଣ୍ଡ ଚିନ୍ତାଶକ୍ତିର ପ୍ରବକ୍ତା। ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ବଳରେ ଉକତ୍ଳୀୟ ସମାଜ ଜୀବନର ନାଡ଼ିକୁ ସେ ଚିପିଥିଲେ ଏବଂ ସେ ଅଭିଜ୍ଞତାରୁ ଜାଣିଥିଲେ ସମାଜର ସବୁଠାରୁ ବଡ଼ ବ୍ୟାଧି ହେଉଛି ଅଶିକ୍ଷା ଓ ଅନ୍ଧବିଶ୍ୱାସ । ମା’ ନ ହେଲେ ନାରୀ ନର୍କରେ ପଡ଼େ। ଏହି ଅନ୍ଧବିଶ୍ୱାସ ଯୋଗୁ ମଙ୍ଗରାଜଙ୍କ ଚକ୍ରାନ୍ତର ଶିକାର ହୋଇ ସର୍ବସ୍ବ ହରାଇଲେ ସାରିଆ ଓ ଭଗିଆ। ଫକୀରମୋହନ ଯେତିକି ସଂସ୍କାର ପ୍ରୟାସୀ ସେତିକି ସଂସ୍କୃତି ପ୍ରବଣ। ସେଥିପାଇଁ ସେ ଖୋଲିଦେଇଛନ୍ତି ରାମଚନ୍ଦ୍ର ମଙ୍ଗରାଜର ବଂଶ ପରମ୍ପରା। ରାମଚନ୍ଦ୍ର ମଙ୍ଗରାଜ କୌଣସି ଜମିଦାର ପରିବାରର ଦାୟାଦ ନ ଥିଲା କି ତା’ର ବୁନିୟାଦି ଖାନଦାନି ନ ଥିଲା, ବରଂ ସେ ସମାଜରେ ପ୍ରବେଶ କରିଥିଲା ଏକ ଛେଉଁଣ୍ଡ ପିଲା ଭାବରେ। ଶୁଦ୍ଧି ବି ହୋଇପାରି ନ ଥିଲା ନିଜର ବାପ ମଲାପରେ। ଅଥଚ ନିଜର ଖଳ ବୁଦ୍ଧି ବଳରେ ସମାଜର ବଡପଣ୍ଡାମାନଙ୍କୁ ପରାସ୍ତ କରି ସେ ହାତେଇ ନେଇପାରିଲା ଫତେପୁର ସରଷଣ୍ଢର ଜମିଦାରୀ। ଠିକ୍‌ ଯେମିତି ବ୍ରିଟିଶମାନଙ୍କୁ ତୋଷାମଦ କରି ବଙ୍ଗାଳୀମାନେ କଲିକତାରେ ନିଲାମ ଧରି ଓଡ଼ିଶାର ସମସ୍ତ ଜମିଦାରୀ କରଗତ କରିନେଇଥିଲେ ମାଟିଗୋଡ଼ି ମୂଲ୍ୟରେ। ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସର ମୌଳିକ ବିଭବ ହେଉଛି ଆଖି ଦେଖା ମଣିଷ, ଅଙ୍ଗେନିଭା ଅନୁଭୂତି ଓ ପ୍ରାଣଛୁଆଁ ସୁଖ ଦୁଃଖ। ଯୁଗ ଯୁଗ ଧରି ସମାଜରେ ଯେଉଁମାନେ ଅଲୋଡ଼ା ହୋଇ ପଡ଼ିଥିଲେ ଫକୀରମୋହନ ସେମାନଙ୍କୁ ଏଠୁ ସେଠୁ ସାଉଁଣ୍ଟି ଉପନ୍ୟାସରେ ସ୍ଥାନ ଦେଲେ ଏବଂ ସେମାନଙ୍କୁ ଶିଖାଇଲେ କାଳାଘାତ ସହିବାର କଳା। ଲୋକପ୍ରଚଳିିତ ଭାଷାର ସ୍ଥୂଳ ପ୍ରୟୋଗ ତଥା ଚଟୁଳ ହାସ୍ୟରସ ପରିବେଷଣ ଯୋଗୁ ଫୁଟି ଉଠିଲା ଶୈଳ୍ପିକ ସୌନ୍ଦର୍ଯ୍ୟ। ଚରିତ୍ର ଚିତ୍ରଣ ଓ ଚଟୁଳ ହାସ୍ୟରସ ପରିବେଷଣ ମଧ୍ୟରେ ଫକୀରମୋହନ ପ୍ରତିଟି ଚରିତ୍ରକୁ ଯେଉଁ ନ୍ୟାୟ ଦେଇଛନ୍ତି ତାହା ଅନନ୍ୟ। ବିଶେଷ କରି କାଳଜୟୀ ମନ୍ତ୍ରରେ ଦୀକ୍ଷିତ କରିବା ପାଇଁ ସେ ଖଳ ଚରିତ୍ରଗୁଡ଼ିକ ନିଃଶ୍ୱାସ ପ୍ରଶ୍ୱାସରେ ବି ଭରି ଦେଉଛନ୍ତି ବିଷାକ୍ତ ବାଷ୍ପ। ସେଥିପାଇଁ ମଙ୍ଗରାଜ ଓ ଚମ୍ପା ଭଳି ଖଳ ଚରିତ୍ରଙ୍କ ନିଃଶ୍ୱାସର ବିଷାକ୍ତ ବାଷ୍ପରୁ ନିସ୍ତାର ପାଇନି ସାରିଆ ଭଗିଆର ନିରୀହ ସାଧୁତା। କକ୍ଷଚ୍ୟୁତ ହୋଇଛି ସାଆଁନ୍ତାଣୀ ପରି ପତିବ୍ରତା ନାରୀର ପାରିବାରିକ ସ୍ଥିତି। ଦୁଃଖରେ ମ୍ରିୟମାଣ ହୋଇ ଅନାହାର ଓ ସନ୍ନିପାତରେ ପ୍ରାଣ ହରାଇଛି ଧର୍ମପ୍ରାଣ ସାଆଁନ୍ତାଣୀ।
ଓଡ଼ିଆ ସାହିତ୍ୟର ସର୍ବପ୍ରଥମ ସାମାଜିକ ବାସ୍ତବତାର ରୂପକାର ତଥା କଥାସମ୍ରାଟ ଫକୀରମୋହନ ଗୋଟିଏ କ୍ଷୁଧା ଜର୍ଜ୍ଜରିତ ଜାତିର ଆର୍ତ୍ତନାଦକୁ ଶୁଣିଥିଲେ ଏବଂ ପ୍ରତ୍ୟକ୍ଷ କରିଥିଲେ ଉଲଙ୍ଗ ବାସ୍ତବତା। ତାଙ୍କ ସୂକ୍ଷ୍ମ ଦୃଷ୍ଟିକୁ ଏଡ଼େଇ ପାରି ନ ଥିଲା ତକତ୍ାଳୀନ ସମାଜର ଅସ୍ବଚ୍ଛ ଚିନ୍ତା ଓ ପରିବେଶ। ସେଥିପାଇଁ ତାଙ୍କ ବର୍ଣ୍ଣନାରେ ଅସୁରଦୀଘି ଅପରିଷ୍କାର। ରାତି ପାହିଲେ ପୋଖରୀ ତୁଠରେ ଆରମ୍ଭ ହୋଇଯାଏ ପରଚର୍ଚ୍ଚା, ପରନିନ୍ଦା ଓ ଚକ୍ରାନ୍ତ। ଗାଆଁରେ ନାନା ମତାନ୍ତର। ନିଜେ ଚୌକିଦାର ଚୋର। ଗାଆଁ ଜମିଦାର ଭଣ୍ଡ ଓ ପ୍ରତାରକ। ଏଠି ଶଠତା ପାଖରେ ନୈତିକତା ହାରିଯାଏ ସତ, କିନ୍ତୁ ଶେଷରେ ପାପାଚାରୀକୁ ଭୋଗିବାକୁ ପଡ଼େ କୃତକର୍ମର ଫଳ। ବ୍ୟଙ୍ଗ ବିଦ୍ରୂପାମତ୍କ ହାସ୍ୟ ସୃଷ୍ଟିରେ ଫକୀରମୋହନ ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଅଦ୍ୱିତୀୟ ସ୍ରଷ୍ଟା ଭାବରେ ପରିଚିତ। ସତ୍ୟକୁ ମୁଖବନ୍ଧ କରି ସମାଜ ଜୀବନର ଏହି ନିଖୁଣ ଚିତ୍ର ଆଙ୍କିଥିବା ଫକୀରମୋହନଙ୍କର ବର୍ଣ୍ଣନା ଶୈଳୀ ଏତେ ଚିତ୍ତାକର୍ଷକ ଯେ ସେଥିରେ ବାରି ହୁଏନି ସତ୍ୟ ଓ କଳ୍ପନା ମଧ୍ୟରେ ଫରକ। କୁହାଯାଏ ଧୂର୍ଜଟି ଛଦ୍ମ ନାମରେ ମାସିକ ‘ଉକତ୍ଳ ସାହିତ୍ୟ’ ପତ୍ରିକାରେ ୧୮୯୭ ରୁ ୧୮୯୮ ପର୍ଯ୍ୟନ୍ତ ଛ’ମାଣ ଆଠଗୁଣ୍ଠ ଧାରାବାହିକ ଭାବରେ ପ୍ରକାଶ ଅବସରରେ ରାମଚନ୍ଦ୍ର ମଙ୍ଗରାଜଙ୍କୁ ନେଇ ଅଦାଲତ ରାୟ ଶୁଣେଇବେ ବୋଲି ଗୋଟିଏ ଅଧ୍ୟାୟରେ ପ୍ରକାଶ ପାଇବା ପରେ କାହିଁ କୁଆଡୁ ଲୋକେ ଜମା ହୋଇଯାଇଥିଲେ କଟକର କିଲିଟାରୀ ହତାରେ। କ’ଣ ନା ଆଜି ମଙ୍ଗରାଜଙ୍କ ମାମଲାର ଫଇସଲା। ଫକୀରମୋହନଙ୍କ ଉପନ୍ୟାସକୁ ଲୋକେ କଳ୍ପନା ବୋଲି ନ ଭାବି କିପରି ସତ୍ୟ ବୋଲି ଆଦରି ନେଇଥିଲେ ଏହା ହିଁ ତା’ର ଏକ ପ୍ରମାଣ।
ଛ’ମାଣ ଆଠଗୁଣ୍ଠ ଓଡ଼ିଆ ଜୀବନ ଚିତ୍ରର ଏକ ଛିନ୍ନ ଚୌପଦୀ। ନିର୍ଦ୍ଦୟ ବାସ୍ତବତାର ନିଖୁଣ ଚିତ୍ର, ଯାହା ଭିତରେ ଅଛି ସଭ୍ୟତାକୁ ଜୀବନ୍ୟାସ ଦେବାର ଅମାପ ଶକ୍ତି। ଇତିହାସରୁ ସମକାଳ ପର୍ଯ୍ୟନ୍ତ ସମ୍ପ୍ରସାରିତ ଏହି ମହାସର୍ଜ୍ଜନାର ସ୍ରୋତ ପାଇଁ କ୍ରାନ୍ତିଦ୍ରଷ୍ଟା ଫକୀରମୋହନ ବଞ୍ଚିରହିବେ କାଳ କାଳ ପାଇଁ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri