Categories: ଖେଳ

ଛେତ୍ରୀଙ୍କ ହ୍ୟାଟ୍ରିକ: ପାକିସ୍ତାନକୁ ହରାଇଲା ଭାରତ

ବେଙ୍ଗାଲୁରୁ, ୨୨।୬: ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ ଏହାର ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ ଅଭିଯାନ ଆରମ୍ଭ କରିଛି। ଘଟଣା ବହୁଳ ଏହି ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ ବଳରେ ଭାରତ ୪-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ସମ୍ପୂର୍ଣ୍ଣ ମ୍ୟାଚରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଖେଳର ୧୦ମ, ୧୬ତମ (ପେନାଲ୍ଟି) ଓ ୭୪ତମ (ପେନାଲ୍ଟି) ମ୍ୟାଚରେ ଛେତ୍ରୀ ଗୋଲ ତିନୋଟି ସ୍କୋର କରିଥିଲେ। ଉଦ୍ଦାନ୍ତ ସିଂ ୮୧ତମ ମିନିଟରେ ଅନ୍ୟ ଗୋଲଟି ଦେଇଥିଲେ।

୯୦ତମ ଗୋଲ

ଅନ୍ତର୍ଜାତୀୟ ଫୁଟବଲରେ ଏହାଥିଲା ଛେତ୍ରୀଙ୍କ ୯୦ତମ ଗୋଲ। ଏଥିସହ ସେ ମାଲେସିଆର ମୋଖତାର ଦହାରି (୯ ଗୋଲ)ଙ୍କୁ ଅତିକ୍ରମ କରିଛନ୍ତି। ଏବେ ଛେତ୍ରୀ ସର୍ବକାଳୀନ ସର୍ବାଧିକ ଗୋଲ ସ୍କୋର ତାଲିକାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ (୧୨୩), ଇରାନର ଅଲୀ ଦାଏଇ (୧୦୯) ଓ ଆର୍ଜେଣ୍ଟିନାର ଲିଓନେଲ ମେସି (୧୦୩)ଙ୍କ ପଛକୁ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ଅଲୀ ଦାଏଇ ଅବସର ନେଇଯାଇଥିବାରୁ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ସେ ତୃତୀୟ ସ୍ଥାନରେ ରହିଛନ୍ତି।

କୋଚ୍‌ ଷ୍ଟିମାକଙ୍କୁ ରେଡ୍‌ କାର୍ଡ

ଭାରତୀୟ ଜାତୀୟ ଫୁଟବଲ ଦଳର ମୁଖ୍ୟ କୋଚ୍‌ ଇଗର୍‌ ଷ୍ଟିମାକଙ୍କୁ ମିଳିଛି ରେଡ୍‌ କାର୍ଡ। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ସାଫ୍‌ କପ୍‌ର ପ୍ରଥମାର୍ଦ୍ଧରେ ଏମିତି ଘଟଣା ଘଟିଥିଲା। ୪୫ ତମ ମିନିଟରେ ପାକିସ୍ତାନକୁ ଏକ ଥ୍ରୋ ମିଳିଥିଲା। ପ୍ରୀତମ କୋଟାଲଙ୍କ ଠାରୁ ପାକିସ୍ତାନୀ ଖେଳାଳି ବଲ୍‌ ଛଡାଇବାକୁ ପ୍ରୟାସ କରୁଥିଲେ। ରେଫରି ପାକିସ୍ତାନ ସପକ୍ଷରେ ନିଷ୍ପତ୍ତି ଦେବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଷ୍ଟିମାକ୍‌। ପାକିସ୍ତାନୀ ଖେଳାଳି ଅବଦୁଲ୍ଲା ଇକ୍‌ବାଲ ସାଇଡ୍‌ରୁ ବଲ୍‌ ଥ୍ରୋ କରିବାକୁ ଯାଉଥିବା ବେଳେ ପଛଆଡୁ ଆସି ଷ୍ଟିମାକ୍‌ ବଲ୍‌କୁ ହାତରେ ଠେଲି ଦେଇଥିଲେ। ଏହାକୁ ନେଇ ଏକାଧିକ ପାକିସ୍ତାନୀ ଖେଳାଳି ଓ ଷ୍ଟିମାକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ରେଫରି ଷ୍ଟିମାକଙ୍କୁ ରେଡ୍‌ କାର୍ଡ ଦେଇଥିଲେ। ସମାନ ଘଟଣାରେ ଭାରତର ସନ୍ଦେଶ ଝିଙ୍ଗାନ ଓ ପାକିସ୍ତାନର ନବିଙ୍କୁ ମଧ୍ୟ ୟେଲୋ କାର୍ଡ ମିଳିଥିଲା। ଷ୍ଟିମାକ ପଡିଆ ଛାଡିବା ପରେ ସହକାରୀ କୋଚ୍‌ ମହେଶ ଗାଓ୍ବଲି ମୁଖ୍ୟ କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ।

Share