ମହାନଦୀ ପରେ ସାବେରୀ ଉପରେ ଛତିଶଗଡ଼ର ନଜର

ମାଲକାନଗିରି,୧୯ା୧: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ସୀମାନ୍ତବର୍ତ୍ତୀ ସାବେରୀ ନଦୀରେ ଛତିଶଗଡ଼ ସରକାର କୋକରାମଠାରେ ଡ୍ୟାମ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ଏହି ଦିଗରେ ଆଗଉଛନ୍ତି। ଏହାକୁ ଓଡ଼ିଶା ଆଦିବାସୀ ସଂଘ ବିରୋଧ କରିଛି। ମଙ୍ଗଳବାର କମାରପାଲିଠାରେ ୯ଟି ପଞ୍ଚାୟତର ଆଦିବାସୀ ମହିଳା, ପୁରୁଷ ଏକାଠି ହୋଇ ବୈଠକ କରିଥିଲେ। ପରେ ଶତାଧିକ ମହିଳା ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ଡ୍ୟାମ୍‌ ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ଛତିଶଗଡ଼ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଓଡ଼ିଶା ସରକାର ତୁରନ୍ତ ହସ୍ତକ୍ଷେପ କରି ଆବା୍ୟକ ପଦକ୍ଷେପ ନେବାକୁ ଦାବି କରିଥିଲେ। ଡ୍ୟାମ୍‌ ନିର୍ମାଣ ହେଲେ ମାଥିଲି ବ୍ଲକର ୯ଟି ପଞ୍ଚାୟତର ୫୨ଟି ଗ୍ରାମର ଲୋକେ କ୍ଷତିଗ୍ରସ୍ତ ହେବେ। ଏପରି କି ଜମି, ଜଳ, ଜଙ୍ଗଲ, ଖଣିଜ ସମ୍ପଦ ନଷ୍ଟ ହେବ। ଜୀବନ ଜୀବିକା ଉପରେ ପ୍ରଭାବ ପଡିବ। ଛତିଶଗଡ଼ ସରକାର ତାଙ୍କ ରାଜ୍ୟର କୃଷି ଏବଂ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପାଇଁ ଡ୍ୟାମ୍‌ ନିର୍ମାଣ କରିବାକୁ ଯାଉଥିବା ବେଳେ ଏହାକୁ ସରକାରୀସ୍ତରରେ କିପରି ଅନୁମତି ମିଳୁଛିି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଛତିଶଗଡ଼ର ସ୍ବାର୍ଥ ପାଇଁ ଆଦିବାସୀଙ୍କୁ ବଳି ପକାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଡ୍ୟାମ୍‌ କାର୍ଯ୍ୟ ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।