ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି. ରମେଶ ରାଓ। ଏହି ସୁନାମ ଅର୍ଜନ କରି ଛତ୍ରପୁର ବାସିନ୍ଦା ରମେଶ ଗଞ୍ଜାମ ଜିଲା ସହ ଓଡ଼ିଶା ଏବଂ ସମଗ୍ର ଭାରତକୁ ଗର୍ବିତ କରିଛନ୍ତି। ପାରା ଫେନ୍ସିଂ ପ୍ରତିଯୋଗିତାର ଫଏଲ ବିଭାଗରେ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ଇଂଲଣ୍ଡର ରାଜଧାନୀ ଲଣ୍ଡନ ଠାରେ ୨୦୨୨ ଅନୁଷ୍ଠିତ ହୋଇଥିବା ପୂର୍ବ କମନୱେଲଥ ପାରା ଫେନ୍ସିଂ ସଂସ୍କରଣରେ ଇପି ବିଭାଗରେ ରୌପ୍ୟ ପଦକ ପାଇଥିଲେ। କିନ୍ତୁ ଚଳିତ ବର୍ଷ ଚାମ୍ପିଅନସିପରେ ଉନ୍ନତମାନର ପ୍ରଦର୍ଶନ କରି ରମେଶ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଏହା ସହ ୧୩ ଜଣିଆ ଭାରତୀୟ ଦଳ ଉକ୍ତ ଚାମ୍ପିଅନସିପରେ ନିଜର ଦବଦବା କାଏମ ରଖିଛି। ମୋଟ ୧୭ଟି ସ୍ବର୍ଣ୍ଣ, ୧୩ ରୌପ୍ୟ ଓ ୧୩ କାଂସ୍ୟ ପଦକ ସହ ଭାରତର ଖେଳାଳିମାନେ ତ୍ରିରଙ୍ଗାକୁ ଶୀର୍ଷରେ ବଜାୟ ରଖିଛନ୍ତି। ପଦକ ତାଲିକାରେ ଭାରତ ପଛରେ ଇଂଲଣ୍ଡ, ଆୟୋଜକ ଦେଶ ନାଇଜେରିଆ ଏବଂ ସାଇପ୍ରସ ପ୍ରଥମ ଚାରୋଟି ସ୍ଥାନ ଅକ୍ତିଆର କରିଥିବା ଜଣା ପଡିଛି। ଏହି କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ ଅଗଷ୍ଟ ୧୦ ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି।

 

Odisha’s No.1 Odia Daily

Share