ଗଞ୍ଜାମ,୩।୭(ଅନାଥ ତରାଇ): ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ପ୍ରତିନିଧି ଏବଂ ପ୍ରଶାସନ ତରଫରୁ ବ୍ୟାପକ ସକାରାତ୍ମକ ପ୍ରୟାସ ଆରମ୍ଭ ହୋଇଛି। ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ମପେଟା, କଣ୍ଟିଆଗଡ, ଖଟୁଆକୁଦା, ନୀଳାଦ୍ରିପୁର ଭଳି ତୀବ୍ର ଜୁଆର ପ୍ରଭାବିତ ଗ୍ରାମଗୁଡ଼ିକର ସୁରକ୍ଷା ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବିଧାୟକ ଏକ ପତ୍ର ମାଧ୍ୟମରେ ପାଳିବନ୍ଧ ପଞ୍ଚାୟତର ୯ଟି ଗ୍ରାମ ଏବଂ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗ୍ରାମର ବସତି ସହ ପବିତ୍ର ବଟେଶ୍ୱର ପୀଠର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ିଛନ୍ତି। ପୂର୍ବରୁ ବିଶେଷଜ୍ଞ କମିଟି ଦ୍ୱାରା ହୋଇଥିବା କ୍ଷେତ୍ର ମୂଲ୍ୟାଙ୍କନ ଓ ସୁପାରିଶ ଗୁଡ଼ିକୁ ଆଧାର କରି ତୁରନ୍ତ ସ୍ଥାୟୀ ଇଞ୍ଜିନିୟରିଂ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବା ସହ ଏଥିପାଇଁ ଆବଶ୍ୟକୀୟ ବଜେଟ୍ ମଞ୍ଜୁର କରିବାକୁ ସେ ଅନୁରୋଧ କରିଛନ୍ତି, ଯାହା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଆଶା ସଞ୍ଚାର କରିଛି।
ଅନ୍ୟପକ୍ଷରେ, ଜିଲା ପ୍ରଶାସନ ମଧ୍ୟ ଏହି ସଙ୍କଟକୁ ମୁକାବିଲା କରିବା ପାଇଁ ବେଶ୍ ତତ୍ପରତା ପ୍ରକାଶ କରିଛି। ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଜଳସେଚନ ଓ ନିଷ୍କାସନ ବିଭାଗକୁ ଜୁଆରର ଆଚରଣ ଅନୁଧ୍ୟାନ କରି ଏକ ସବିଶେଷ ପ୍ରତିଷେଧକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ମଣିଷ ନୁହେଁ, ବନ୍ୟପ୍ରାଣୀ ମଧ୍ୟ ଏହା ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି। ବେଳାଭୂମି କ୍ଷୟ ଯୋଗୁଁ ଚଳିତ ବର୍ଷ ଅଲିଭ୍ ରିଡ୍ଲେ କଇଁଛମାନଙ୍କର ବିଶ୍ୱପ୍ରସିଦ୍ଧ ଗଣ ଅଣ୍ଡାଦାନ ପ୍ରକ୍ରିୟା ‘ଅରିବାଡା’ ବାଧାପ୍ରାପ୍ତ ହୋଇଛି।
ଗତବର୍ଷ ୮ ଲକ୍ଷରୁ ଅଧିକ କଇଁଛ ଆସିଥିବା ବେଳେ ଏଥର ମାତ୍ର ୨.୦୫ ଲକ୍ଷ କଇଁଛ ଋଷିକୁଲ୍ୟା ମୁହାଁଣ ଆଡ଼କୁ ସ୍ଥାନ ପରିବର୍ତ୍ତନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ସ୍ଥିତି ଏମିତି ରହିଲେ ଆସନ୍ତା ବର୍ଷ ହୁଏତ କଇଁଛମାନେ ଆଉ ଏଠାକୁ ଆସି ନପାରନ୍ତି। ଏହି ପରିବେଶଗତ ଐତିହ୍ୟ ଏବଂ ସାଂସ୍କୃତିକ କେନ୍ଦ୍ରଗୁଡ଼ିକର ସୁରକ୍ଷା ପାଇଁ ବିଧାୟକଙ୍କ ନିରନ୍ତର ଉଦ୍ୟମ ଏବଂ ପ୍ରଶାସନିକ ପ୍ରସ୍ତୁତି ଆଗାମୀ ଦିନରେ ଗଞ୍ଜାମ ଉପକୂଳକୁ ଏକ ସ୍ଥାୟୀ ସୁରକ୍ଷା ବଳୟ ପ୍ରଦାନ କରିବ ବୋଲି ସ୍ଥାନୀୟ ବାସିନ୍ଦା ଦୃଢ଼ ଆଶା ପ୍ରକଟ କରିଛନ୍ତି।