ଭଗ୍ନାବସ୍ଥାରେ ପଡ଼ିରହିଛି ବୌଦ୍ଧ ମୂର୍ତ୍ତି: ସୌନ୍ଦର୍ଯ୍ୟକରଣ ପୁନରୁଦ୍ଧାର ଅପେକ୍ଷାରେ ଛତ୍ରପୁର ପୌରପରିଷଦ

ଛତ୍ରପୁର,୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ସହର ତଥା ସଦରମହକୁମା ଛତ୍ରପୁରଠାରେ ଦୀର୍ଘବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ୨୦୧୩ ‘ଫାଇଲିନ’ ମହାବାତ୍ୟା ପରଠାରୁ ସହରକୁ ଏକ ନୂତନ ଚେହେରା ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର। ଗଭୀର ଆଲୋଚନା ପରେ ସହରକୁ ସୁନ୍ଦର ଭାବେ ପୁନରୁଦ୍ଧାର କରିବା ଚିତ୍ର ବାସ୍ତବ ରୂପ ଦିଆଗଲା। କିନ୍ତୁ ସମୟ କ୍ରମେ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ସହର ମଧ୍ୟରେ ଥିବା ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଚମକ ହରେଇ ବସିଛି। ବୃଦ୍ଧମୂର୍ତ୍ତି ଭଙ୍ଗାରୁଜା ହୋଇ ପଡ଼ିରହିଛି।

ଗୋଟିଏ ସମୟରେ ଛତ୍ରପୁର ସହରର ଜଳ ପ୍ରାଣ ବିନ୍ଦୁ କୁହାଯାଉଥିବା ପିଲ୍ଲିବନ୍ଧ ପୋଖରୀ ପରିସରରେ ଥିବା ଉଦ୍ୟାନ ଭିତରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଓ ସହରବାସୀ ଆଉ ଉଦ୍ୟାନକୁ ଯିବା ପାଇଁ ଉତ୍ସାହ ପ୍ରକାଶ କରୁନାହାନ୍ତି। ଉଦ୍ୟାନରେ ସ୍ଥାନେସ୍ଥାନେ ଅଳିଆ ଆବର୍ଜନା ଦେଖିବାକୁ ମିଳିଛି। ପୋଖରୀ କେନ୍ଦ୍ର ଭାଗରେ ଥିବା ‘ଲାଇଟ ଆଣ୍ଡ୍‌ ସାଉଣ୍ଡ’ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି। ଆକର୍ଷିତ କରୁଥିବା ନୌକାଚାଳନା ବା ବୋଟିଂ ବନ୍ଦ ହୋଇଯାଇଛି। ଏପରିକି ପୋଖରୀର ପାଣିକୁ ବି ସଫା କରାଯାଉ ନ ଥିବା ଦେଖିବାକୁ ମିଳିଛି।

ବୟୋଜ୍ୟୋଷ୍ଠ ବ୍ୟକ୍ତି ବିଶେଷଙ୍କ କହିବା ଅନୁଯାୟୀ, ଏହି ପୋଖରୀର ପାଣି ସୋରଡ଼ା ଘାଇରୁ ଏକ କେନାଲ ମାଧ୍ୟମରେ ବାହିତ ହୋଇ ସଂଗ୍ରହ କରାଯାଉଥିଲା। କିନ୍ତୁ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ପରେ ଏହି ପୋଖରୀର ଜଳ ଏବେ ଅଲୋଡ଼ା ହୋଇଯାଇଛି।
ଅନ୍ୟପଟେ ସହରକୁ ସାଗତ ଜଣାଉଥିବା ‘ଜୟ ଜଗନ୍ନାଥ’ ଆଲୋକ ସଜ୍ଜା ଆକୃତି ଭଗ୍ନ ଅବସ୍ଥାରେ ରହିଛି। ଛତ୍ରପୁର ଷ୍ଟାଡିୟମ ପାର୍ଶ୍ୱରେ ଥିବା ଗୌତମ ବୁଦ୍ଧଙ୍କ ବିରାଟ ପ୍ରତିମୂର୍ତ୍ତି ପଛପଟ ଆକୃତି ଭାଙ୍ଗି ନଷ୍ଟ ହୋଇଯାଇଛି। ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଦ୍ୱାରା ୧୯୩୦ ମସିହାରେ ଅନୁଷ୍ଠିତ ଲବଣ ସତ୍ୟାଗ୍ରହ ସ୍ମୃତିରେ ଦଣ୍ଡି ଯାତ୍ରାର ‘ଏଗାର ମୂର୍ତ୍ତି’ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଅଛି। ଉନ୍ମୋଚନ ସମୟରେ ଏହାର ପଛରେ ଥିବା ଭାରତ ମାନଚିତ୍ର ବର୍ତ୍ତମାନ ଆଉ ଦେଖିବାକୁ ମିଳୁନାହିଁ।
ଦୀର୍ଘଦିନର ଅପେକ୍ଷା ପରେ ପୌରପରିଷଦ ମାନ୍ୟତା ପାଇଥିବା ଛତ୍ରପୁର ସହର ପୁନରୁଦ୍ଧାର ପାଇଁ ବ୍ୟାକୁଳ ହୋଇ ଉଠିଛି। ବୟୋଜ୍ୟେଷ୍ଠ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ସହରର ସୌନ୍ଦର୍ଯ୍ୟକରଣ ପୁନଃ ଫେରାଇ ଆଣିବା ପାଇଁ ସରକାର ଏବଂ ଜିିଲା ପ୍ରଶାସନ ପାଖରେ ନିବେଦନ କରିଛନ୍ତି। ଦକ୍ଷ ପ୍ରଶାସନ ସହିତ ଉତ୍ତମସ୍ତରର ସ୍ବଚ୍ଛତା ତଥା ରକ୍ଷଣାବେକ୍ଷଣ ସଦରମହକୁମାକୁ ଖୁବ୍‌ଶୀଘ୍ର ତାହାର ପ୍ରକୃତ ପରିଚୟ ଦେବ ବୋଲି ସହରବାସୀ ଆଶା ପ୍ରକଟ କରିଛନ୍ତି।

Dharitri – Odisha’s No.1 Odia Daily

Share