ଦଳୀୟ ଶୃଙ୍ଖଳାକୁ ଚେଲ୍ଲାକୁମାରଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଦଳୀୟ ନେତାଙ୍କ ସହ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଗତ ନିର୍ବାଚନରେ ବିଧାୟକ ଏବଂ ଏମ୍‌ପି ପ୍ରାର୍ଥୀ ହୋଇଥିବା ନେତା ଏବଂ ଜିଲା ସଭାପତିମାନଙ୍କ ସହ ସେ କଥା ହୋଇଛନ୍ତି। ତାମିଲନାଡୁରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଖରାପ ଥିବା ସତ୍ତ୍ୱେ ଦଳ କାମ କରୁଛି। ଦୀର୍ଘ ୫୦ ବର୍ଷ ହେଲା ତାମିଲନାଡୁରେ କଂଗ୍ରେସ ସରକାରକୁ ଆସିନାହିଁ। ତଥାପି ଦଳକୁ ସେଠାରେ ମଜଭୁତ କରିବାକୁ କାର୍ଯ୍ୟ କରାଯାଉଥିଲା ବେଳେ ଓଡ଼ିଶାର ସ୍ଥିତି ତା’ଠାରୁ ଭଲ ଅଛି। ତେବେ ଏଠାରେ କାମ କରିବାରେ ଅସୁବିଧା ନାହିଁ। ଆଗକୁ ଦଳ ଓଡ଼ିଶାରେ ଭଲ ସ୍ଥିତିରେ ପହଞ୍ଚିବ ବୋଲି ଚେଲ୍ଲାକୁମାର ଦଳୀୟ ନେତୃବୃନ୍ଦଙ୍କୁ କହିଛନ୍ତି।
ଦଳକୁ କିପରି ମଜଭୁତ ଏବଂ ଶୃଙ୍ଖଳିତ କରିହେବ ସେ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନକୁ କିଭଳି ସମସ୍ତେ ଏକାଠି ହୋଇ ଲଢ଼ିବା ସହ ଭଲ ପ୍ରଦର୍ଶନ କରି ହେବ ସେ ଉପରେ ଧ୍ୟାନଦେବାକୁୁ ଆହ୍ବାନ ଦେଇଛନ୍ତି। ବୈଠକ ଶେଷରେ ଚେଲ୍ଲାକୁମାର କହିଛନ୍ତି, ଓଡ଼ିଶାରେ ତ୍ୟାଗ ଏବଂ ପ୍ରତିବଦ୍ଧତା ରଖିଥିବା ନେତାମାନେ ଅଛନ୍ତି। ତଥାପି କାହିଁକି ଓଡ଼ିଶାରେ ଦଳ ସରକାରକୁ ଆସୁନାହିଁ । ସେନେଇ ଦଳୀୟ ନେତାମାନେ ଆତ୍ମସମୀକ୍ଷା କରିବା ଦରକାର। ରାଜ୍ୟରେ ଦଳ ୩, ୪ ବା ୫ ନମ୍ବରରେ ଅଛି। ୨୦୨୪ରେ ଦଳ କିପରି ସରକାରକୁ ଆସିବ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ଚେଲ୍ଲାକୁମାର କହିଛନ୍ତି। ଦଳ ନେତୃବୃନ୍ଦ ଚେଲ୍ଲାକୁମାରଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି। ଆହୁରି କେତେଜଣ ନେତା ଦଳକୁ ଅଧିକ ଆର୍ଥିକ ସହଯୋଗ, ଜିଲା ଓ ବ୍ଲକସ୍ତରରେ ସଭାପତି ଚୟନ ଏବଂ ଯୁବ ନେତୃତ୍ୱଙ୍କୁ ପିସିସି ସଭାପତି ଦାୟିତ୍ୱ ପ୍ରଦାନ କଥା ଉଠାଇଛନ୍ତି। ସେହିପରି ୯ଜଣ ବିଧାୟକ, ୨ ପିସିସି କାର୍ଯ୍ୟକାରୀ ସଭାପତିଙ୍କୁ ଧରି କିଭଳି ୨ଟି ବିଧାନସଭା ଆସନରେ ଉପନିର୍ବାଚନ ଲଢ଼ାଯିବ ସେନେଇ ମଧ୍ୟ ଅନେକ ନେତା ପ୍ରସଙ୍ଗ ଉଠାଇଛନ୍ତି। ଅନ୍ୟପଟେ ସାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକମାନଙ୍କୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଦୀର୍ଘ ସମୟ ଧରି ଆଲୋଚନାରେ ହୋଇଥିଲା। ରାଜ୍ୟରେ ଦଳର ଦୁର୍ବଳ ସ୍ଥିତି ନେଇ ବିଧାୟକମାନଙ୍କଠାରୁ ସେ ବୁଝିଛନ୍ତି। ଜିଲା ଓ ବ୍ଲକ ସଭାପତି ଚୟନ କିପରି ହେବ ଏବଂ ରାଜ୍ୟରେ କେଉଁସବୁ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ରହିଛି ସେ ବାବଦରେ ମଧ୍ୟ ଆଲୋଚନା କରିଛନ୍ତି। ଏନେଇ ବିଧାୟକ ଦଳ ନେତା ମିଶ୍ର କହିଛନ୍ତି, ବିଧାନସଭାରେ ଦଳର କାର୍ଯ୍ୟକ୍ରମ କିପରି ରହିଲା ତା’ର ଏକ ରିପୋର୍ଟ ପ୍ରଦାନ କରିଛୁ। ଆଗକୁ ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି କିଭଳି ମଜଭୁତ ହେବ ତା’ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।