ଓଡ଼ିଶାରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ, ୭ା୧୦:ପ୍ରଦେଶ କଂଗ୍ରେସ କମିଟି (ପିସିସି) ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର ମଙ୍ଗଳବାର ପ୍ରଥମଥର ଲାଗି ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ବିମାନବନ୍ଦରରେ ଚେଲ୍ଲାକୁମାରଙ୍କୁ ସ୍ବାଗତ କରିଥିଲେ। ସେଠାରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ପୁରୀ ଯାଇଛନ୍ତି। ମାତ୍ର ବିମାନବନ୍ଦର ଓ ପୁରୀରେ କଂଗ୍ରେସ ପକ୍ଷରୁ କୌଣସି ଶୋଭାଯାତ୍ରା ଆୟୋଜନ ନ କରିବାକୁ କମିଶନରେଟ୍‌ ପୋଲିସ ବାରଣ କରିଛି। ଭାଜପା ବା ବିଜେଡିର କୌଣସି ସମାବେଶକୁ ପୋଲିସ ବାରଣ କରୁ ନ ଥିବାବେଳେ କଂଗ୍ରେସ ପ୍ରତି ଏଭଳି ପଦକ୍ଷେପକୁ ପିସିସି ପକ୍ଷରୁ ନିନ୍ଦା କରାଯାଇଛି। କଂଗ୍ରେସ ଦଳ ପ୍ରତି ଏପରି ଆଚରଣ ଠିକ୍‌ ନୁହେଁ ବୋଲି ନିରଞ୍ଜନ କହିଛନ୍ତି। ବୁଧବାର ଚେଲ୍ଲାକୁମାର ଦଳର ସବୁସ୍ତରର ନେତାମାନଙ୍କ ସହ ବୈଠକ କରି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସବୁ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀମାନଙ୍କ ସହ ବୈଠକ କରିବେ। ସେହିପରି ଯୁବ, ଛାତ୍ର ଏବଂ ମହିଳା ନେତୃବୃନ୍ଦଙ୍କ ସହ ମଧ୍ୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାସହ ତାଙ୍କର ଏହି କାର୍ଯ୍ୟକ୍ରମ ମଧ୍ୟରେ ସେ ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତ କରିବେ।
ଏ. ଚେଲା କୁମାର ମଙ୍ଗଳବାର ସନ୍ଧ୍ୟାରେ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସିଂହଦ୍ୱାର ନିକଟରେ ସେ ପହଞ୍ଚତ୍ବା ପରେ ପୁରୀ ଜିଲା କଂଗ୍ରେସ କମିଟି ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଓ ଫୁଲତୋଡ଼ା ଦିଆଯାଇ ସ୍ବାଗତ କରାଯାଇଥିଲା। ଏହାପରେ ସେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ବିଜେଡି ସରକାର ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ କ୍ଷମତାରେ ରହିଥିଲେ ବି ଓଡ଼ିଶାରେ ବେକାରି ଓ ଚାଷୀ ସମସ୍ୟା ବଢିଛି। ରାଜ୍ୟ ସରକାରଙ୍କ ବିଫଳତାକୁ ଓଡ଼ିଶାବାସୀଙ୍କ ପାଖରେ କଂଗ୍ରେସ ପହଞ୍ଚାଇବ। ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସ ଜିତିବ। ଏଥିସହ ବିଜେଡି ଏବଂ ଭାଜପା ମଧ୍ୟରେ ସର୍ବଦା ଭିତିରି ବୁଝାମଣା ରହିଛି ବୋଲି ଚେଲା କୁମାର କହିଥିଲେ। ତାଙ୍କ ସହ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।