ଚୋରାଚାଲାଣ ଧରାପଡ଼ିବା ପରେ ଚେଇଁଲା ପ୍ରଶାସନ: କୋକସରା ବ୍ଲକର ୪ ସାର ଦୋକାନ ଉପରେ ଚଢ଼ାଉ

କୋକସରା,୨୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ ସାର ଚୋରା ଚାଲାଣ ହେଉଥିବା ବେଳେ ଗତ ରବିବାର ଏକ ଟ୍ରକରୁ ୩୫୦ ବସ୍ତା ୟୁରିଆ ସାର ଜବତ କରାଯାଇଥିଲା। ଏହା ଜଣାପଡ଼ିବା ପରେ ଚେଇଁଛି ଜିଲା ପ୍ରଶାସନ। ଶୁକ୍ରବାର ଧର୍ମଗଡ ଉପ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋକସରା ଅତିରିକ୍ତ ତହସିଲଦାର କୃଷି ବିଭାଗ ଅଧିକାରୀମାନେ କୋକସରା ବ୍ଲକର କୋକସରା ଓ ମୋଟେରଠାରେ ଥିବା ୪ ସାର ହୋଲସେଲ୍‌ ବ୍ୟବସାୟୀଙ୍କ ଦୋକାନ ଓ ଗୋଦାମରେ ଚଢ଼ାଉ କରି ଷ୍ଟକ ଭେରିଫିକେଶନ ସହ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡ଼ିଛି। କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ ଓ କୋକସରା କୃଷି ଅଧିକାରୀ ଲିଙ୍ଗରାଜ ମେହେର ମୋଟେରଠାରେ ଥିବା ରାଠୋଡ଼ ଏଗ୍ରୋ, ଆର କେ ଏଗ୍ରୋ ଫାର୍ମ, କୃଷକବନ୍ଧୁ ଫର୍ଟିଲାଇଜର ସମେତ କୋକସରାଠାରେ ଥିବା ସାରଙ୍ଗିନୀ ଫର୍ଟିଲାଇଜର ହୋଲସେଲର ଦୋକାନ ଓ ଗୋଦାମରେ ଷ୍ଟକ ଯାଞ୍ଚ କରିବା ସହ ସାର ପରିବହନ, ବିକ୍ରୟ ବିବରଣୀ ଓ ଷ୍ଟକ ତଦାରଖ କରିଛନ୍ତି। ତେବେ ଯାଞ୍ଚ ସମୟରେ ସାର ଦୋକାନରେ ଚାଷୀଙ୍କ ଅବଗତି ପାଇଁ ବିଭିନ୍ନ ରାସାୟନିକ ସାରର ମୁଲ୍ୟ ତାଲିକା ଟଙ୍ଗା ଯାଇ ନ ଥିବା ଦେଖିବାକୁ ମିଳିଛି। କୋକସରା ବ୍ଲକରେ ୫ ଜଣ ହୋଲସେଲର ଓ ୭୧ ରିଟେଲର ସାର ବ୍ୟବସାୟୀଙ୍କୁ କୃଷିବିଭାଗ ପକ୍ଷରୁ ଲାଇସେନ୍ସ ଦିଆଯାଇଛି। ତେବେ ଅନେକ ସ୍ଥାନରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରେଟ୍‌ରେ ସାର ବିକ୍ରି ହେଉଥିବା ନେଇ ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଅନେକ ସାର ଦୋକାନୀ ରାସାୟନିକ ସାର ସହ ଅଣୁ ସାର ଟ୍ୟାଗ୍‌ କରି ଚାଷୀଙ୍କୁ ନେବାକୁ ବାଧ୍ୟ କରୁଥିବା ମଧ୍ୟ ପୂର୍ବରୁ ଚାଷୀ ଅଭିଯୋଗ କରିଛନ୍ତି। ଲାଇସେନ୍ସ ପ୍ରାପ୍ତ ସାର ହୋଲସେଲର୍‌ ଦୋକାନକୁ ସରକାରୀ ହିସାବରେ କେତେ ପରିମାଣର ସାର ଯୋଗାଣ ହୋଇଛି ତାହାର ସଠିକ ତଥ୍ୟ ମଧ୍ୟ କୃଷି ବିଭାଗରୁ ମିଳୁନାହିଁ। ତେବେ ସାର ଚୋରା ଚାଲାଣ ଧରା ପଡିବା ପରେ ପ୍ରଶାସନ ଚେଇଁ ଉଠିଛି। ଏନେଇ କୋକସରା ଅତିରିକ୍ତ ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ଉପ ଜିଲାପାଳଙ୍କ ନିର୍ଦ୍ଦେଶରେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି।