ଥାନା ଅଧିକାରୀଙ୍କ ପରିଚୟ ଦେଇ ଠକିନେଲେ ୨୦ ହଜାର

କଣ୍ଟାବାଞ୍ଜି,୬।୧୧(ଡି.ଏନ.ଏ.): ନିଜକୁ ପୋଲିସ ପରିଚୟ ଦେଇ ପୁଅବୋହୂଙ୍କ କଳିର ଥାନାରେ ଆପୋଷ ସମାଧାନ କରିଦେବେ କହି ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଠକିିନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ କଣ୍ଟାବାଞ୍ଜି ଥାନାରେ ଶୁକଦେବା ମହାନ୍ତି ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି। କଣ୍ଟାବାଞ୍ଜି ସହର ନିବାସୀ ଶୁକଦେବଙ୍କ ପୁଅ ବାହାଘର କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ମହିଳା ଜଣକ ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କ ନଁାରେ କୋକ୍‌ସରା ଥାନାରେ ଗତ ସେପ୍ଟେମ୍ବର ୨୯ ତାରିଖରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ଆପୋଷ ସମାଧାନ କରିଦେବ ବୋଲି ଜୟପାଟଣାର ସନ୍ତୋଷ ଦାସ ନାମକ ଜଣେ ବ୍ୟକ୍ତି ଶୁକଦେବଙ୍କୁ ଫୋନ୍‌ କରିଥିଲେ। ଏପରିକି ଅନ୍ୟଜଣେ ବ୍ୟକ୍ତିଙ୍କୁ କୋକ୍‌ସରା ଥାନା ଅଧିକାରୀ ଭାବେ ପରିଚୟ ଦେଇ ଶୁକଦେବଙ୍କ ସହ ଫୋନ୍‌ରେ କଥା କରାଇଥିଲେ। ଏହି ବିବାଦ ସମାଧାନ କରିବାକୁ ହେଲେ ତୁରନ୍ତ ୨୦ ହଜାର ଟଙ୍କା ଫୋନ୍‌ ପେ ମାଧ୍ୟମରେ ପଠାଇବାକୁ ସନ୍ତୋଷ କହିଥିଲେ। ଭୟରେ ଶୁକଦେବ ଦୁଇଟି ପର୍ଯ୍ୟାୟରେ ଫୋନ୍‌ ପେ ମାଧ୍ୟମରେ ୨୦ ହଜାର ଟଙ୍କା ପଠାଇଥିଲେ। ତେବେ ଟଙ୍କା ପଠାଇ ସାରିବା ପରେ ଆଉ କୌଣସି କଥାବାର୍ତ୍ତା ନ ହେବାରୁ ସନ୍ଦେହ କରି ସେ ଠକାମିରେ ପଡିଥିବା ଜାଣି କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ମାମଲା (୬୧/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ସତ୍ୟଜିତ କନ୍ଦନକେଲ ସୂଚନା ଦେଇଛନ୍ତି ା