ଋଣ ଦେବା ଆଳରେ ଠକି ନେଇଥିଲେ ୨୦ ଲକ୍ଷ

ରାଇରଙ୍ଗପୁର,୩୦ା୮(ଡି.ଏନ.ଏ.): ଗ୍ରାହକମାନଙ୍କୁ ଋଣ ଦେବା ଆଳରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେରାର ଥିବା ଏକ ଅର୍ଥ ଲଗାଣକାରୀ ସଂସ୍ଥାର ସିଏସ୍‌ଓଙ୍କୁ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନଥାନା ପୋଲିସ ରବିବାର ଗିରଫ କରିଛି। ସେ ହେଲେ ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ମନୋଜ କୁମାର ପାତ୍ର। ଏନେଇ ଥାନାରେ ଏକ ମାମଲା(ନଂ.୧୭୨/୨୧) ରୁଜୁ ହୋଇଛି।

ସୂଚନାଯୋଗ୍ୟ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଇଚିଣ୍ଡା ବସ୍ତି ଅଞ୍ଚଳରେ ସାଟିନ୍‌ କ୍ରେଡିଟ୍‌ କେୟାର ନେଟ୍‌ଓ୍ବର୍କ ଲିଃ.ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥା ଖୋଲିଥିଲା। ମନୋଜ ଏହି ସଂସ୍ଥାରେ ସିଏସ୍‌ଓ ଭାବେ କାର୍ଯ୍ୟକରିବା ସହ ଗ୍ରାହକମାନଙ୍କଠାରୁ ଅର୍ଥ ଆଦାୟ କରୁଥିଲେ। ତେବେ ଋଣ ଦେବାକୁ ଲୋଭ ଦେଖାଇ ରାଇରଙ୍ଗପୁର ସହରାଞ୍ଚଳ ସମେତ ଆଖପାଖ ଅଞ୍ଚଳର ପ୍ରାୟ ୨୮୪ ଜଣଙ୍କଠାରୁ ସେ ୨୦ ଲକ୍ଷ ୬୯ ହଜାର ୫୬୪ ଟଙ୍କା ଆଦାୟ କରି ଫେରାର ହୋଇଯାଇଥିଲେ। ସଂସ୍ଥାର ଡେପୁଟି ରିଜିଓନାଲ ମ୍ୟାନେଜର ବିନୋଦ ଦାସଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଚଳାଇ ବାଲିଆପାଳରୁ ମନୋଜଙ୍କୁ ଗିରଫ କରିଥିବା ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ ସୂଚନା ଦେଇଛନ୍ତି।