ପୁରୀ,୨୯ା୬: ଆଜି ଅର୍ଥାତ୍ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, କାଳିଆ ସାଆନ୍ତ ଏବଂ ଦେବୀ ସୁଭଦ୍ରା। ଆଜି ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରିବେ। ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
ଭକ୍ତଙ୍କ ନିମନ୍ତେ ଟେଣ୍ଟ ସହ ମାର୍କେଟ ଛକଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ଭକ୍ତମାନେ ଏହି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଯିବେ। ସେଠାରୁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଦର୍ଶନ କରି ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଇନ ଶୃଙ୍ଖଳା, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଚଳିତବର୍ଷ ୭୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଥିସହ ୪ କମାଣ୍ଡାଣ୍ଟ ର଼୍ୟାଙ୍କ ଅଫିସର, ୧୪ ଅତିରିକ୍ତ ଏସ୍ପି ଓ ଡେପୁଟି କମାଣ୍ଡର, ୩୧ ଡିଏସ୍ପି, ୮୩ ଇନ୍ସିପେକ୍ଟର, ୩୬୦ ଏଏସ୍ଆଇ ଓ ଏସ୍ଆଇ, ୫୪ ହାବିଲଦାର, ୪୫୩ କନ୍ଷ୍ଟେବଳ ଏବଂ ୯୧୨ ଜଣ ହୋମଗାର୍ଡ ମୁତୟନ ରହିବେ। ଏଥିସହ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ ୟୁନିଟ୍ ଏସ୍ଟିୟୁ ଟିମ୍ ମୁତୟନ ହେବେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ସାହାଯ୍ୟ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସ୍ବେଚ୍ଛାସେବୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି।
ସ୍ନାନଯାତ୍ରା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟା ୩୦ରେ ମଙ୍ଗଳାର୍ପଣ, ଭୋର ୫ଟାରୁ ୭ଟା ମଧ୍ୟରେ ପହଣ୍ଡି ଆରମ୍ଭ ହୋଇ ସକାଳ ୯ଟାରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ ନୀତି ହେବ। ଅପରାହ୍ନ ୩ଟା ୩୦ରେ ଛେରାପହଁରା, ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ହାତୀବେଶ ଅନୁଷ୍ଠିତ ହେବ। ରାତି ୧୦ଟାରେ ହାତୀବେଶ ମଇଲମ କରାଯାଇ ୧୧ଟାରୁ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ଅପରପକ୍ଷରେ ସ୍ନାନଯାତ୍ରା ପାଇଁ ରବିବାର ସେନାପଟାଲାଗି ସମ୍ପାଦିତ ହୋଇଛି। ସକାଳ ୭ଟାରେ କୋଠସୁଆଁସିଆମାନେ ମହାପ୍ରଭୁଙ୍କ ଚାରମାଳ ବନ୍ଧା କାର୍ଯ୍ୟ ସାରିବା ପରେ ୭ଟା ୧୫ରେ ଦଇତାପତିମାନେ ସେନାପଟା ଲାଗି କରିବାକୁ ଗର୍ଭଗୃହକୁ ପ୍ରବେଶ କରିଥିଲେ। ଅପରାହ୍ନ ୨ଟା ୩୫ରେ ସେନାପଟା ଲାଗି ଶେଷ କରି ସେମାନେ ଶ୍ରୀମନ୍ଦିରରୁ ବାହାରିଥିଲେ। ଏଥିନିମନ୍ତେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା।
Dharitri – Odisha’s No.1 Odia Daily