Categories: ଗଞ୍ଜାମ

ଆଗେଇ ଚାଲିଛି ରଥ ନିର୍ମାଣ

ଧରାକୋଟ,୧୯ ।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଗଡ଼ଜାତ ଅଞ୍ଚଳର ରଥଯାତ୍ରା ମଧ୍ୟରେ ଧରାକୋଟ ରଥଯାତ୍ରା ଏକ ଭିନ୍ନ ପରମ୍ପରା ଦେଇ ପାଳନ ହୋଇଆସୁଛି। ସବୁସ୍ଥାନରେ ବାହୁଡ଼ା ଯାତ୍ରା ପାଳନ ହୋଉଥିବା ବେଳେ ପୂର୍ବ ପରମ୍ପରା ଅନୁଯାୟୀ ଏକାଦଶୀ ଦିନ ଏଠାରେ ଧୁମ୍‌ଧାମରେ ରଥଯାତ୍ରା ପାଳନ ହୁଏ। ଏଥିରେ ଅଞ୍ଚଳର ହଜାର ହଜାର ଭକ୍ତ ଯୋଗ ଦେଇ ରଥଟାଣନ୍ତି। କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ରଥଯାତ୍ରା ବନ୍ଦ ରହିଥିଲା। ଚଳିତ ବର୍ଷ ନୂତନ ରଥ ନିର୍ମାଣ କରାଯାଇ ରଥଯାତ୍ରା ପାଳନ ହେବ। ନୂତନ ରଥ ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ତରଫରୁ ୨୭୪ସିଏଫ୍‌ଟି କାଠ ବଡଗଡ ଓ ଗାଜରବାଡ଼ି ଜଙ୍ଗଲରୁ ଯୋଗାଇ ଦିଆଯାଇଛି। ଏହାପରେ ମଧ୍ୟ ଆଖପାଖ ଗ୍ରାମର ବଦାନ୍ୟ ବ୍ୟକ୍ତିମାନେ ନିଜ ନିଜର କାଠ ଦାନ କରିଛନ୍ତି। ସମ୍ପ୍ରତି ରଥଚକ, ଅଖ, ବ୍ରାନ୍ଦ, ନାଇକା, ଗର, ଛାଟୁଣୀ, ମୁହାଣ, ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଦୀର୍ଘ ଦୁଇବର୍ଷ ପରେ ସମ୍ପୂର୍ଣ୍ଣ ନୂତନ କାଠରେ ରଥ ନିର୍ମାଣ ହୋଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମହାପ୍ରଭୁଙ୍କ ରାଜସ୍ବ ଆଦାୟ କମ୍‌ ହୋଉଛି। ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ପ୍ରତ୍ୟକ୍ଷ ଭାବେ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବାବେଳେ ଦେବୋତ୍ତର ଗୁମସ୍ଥା ଅଶୋକ କୁମାର ଗୌଡ଼, ମହେନ୍ଦ୍ର ପାତ୍ର, କାଳିଆ ବେହେରା, ସନାତନ ସ୍ବାଇଁ, ମଙ୍ଗଳା ବେହେରା, କୃତିବାସ ସ୍ବାଇଁ, ରିଙ୍କୁ ସ୍ବାଇଁ ଓ ଧରାକୋଟ ସରପଞ୍ଚ ପୁନିଆ ଦାସଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରୁଛନ୍ତି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦୁଇବର୍ଷ ପରେ ତିନିଠାକୁର ବଡ଼ଦାଣ୍ଡରେ ରଥାରୂଢ଼ ହେବେ ଏଣୁ ଅଞ୍ଚଳର ଭକ୍ତମାନଙ୍କ ମଧ୍ୟରେ ନୂତନ ଉନ୍ମାଦନା ଦେଖାଦେଇଛି।