ନବ ସଂକଳ୍ପ ଶିବିରରେ ବିଶୃଙ୍ଖଳା

ଜଗତ୍‌ସିଂହପୁର ଅଫିସ, ୧୫ା୬: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତ୍ତି ଅନୁଯାୟୀ ପ୍ରତି ଜିଲାରେ ଦଳୀୟ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ଉଦ୍ୟମ ଆରମ୍ଭ ହୋଇଛି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସାନବଜାରସ୍ଥିତ ଏକ ମଣ୍ଡପରେ ମଙ୍ଗଳବାର ନବ ସଂକଳ୍ପ ଶିବିର ଆୟୋଜନ ହୋଇଥିଲା। କିନ୍ତୁ ଏଥିରେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀର ୧୭ ଜଣ ସରପଞ୍ଚ, ସମିତି ସଭ୍ୟ ଉଠି ଚାଲିଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁମାନେ ତୃଣମୂଳସ୍ତରରେ ଦଳ ପାଇଁ କାମ କରୁଛନ୍ତି ସେମାନଙ୍କୁ ମର୍ଯ୍ୟାଦା ମିଳିବା ଆବଶ୍ୟକ କହି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ମଧ୍ୟ ମଞ୍ଚ ତ୍ୟାଗ କରିଥିଲେ। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତି ଜିଲାରେ ଆସନ୍ତା ଅଗଷ୍ଟ ୯ରୁ ୭୫ କିଲୋମିଟର ପଦଯାତ୍ରା ପାଇଁ ଏଆଇସିସି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲାରେ ପଦଯାତ୍ରା କରାଯିବ ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା। ଜିଲା କଂଗ୍ରେସ କମିଟି ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପୂର୍ବତନ ଏମ୍‌ପି ଅନନ୍ତ ସେଠୀ, ଗତ ନିର୍ବାଚନରେ ଦଳୀୟ ଏମ୍‌ପି ପ୍ରାର୍ଥିନୀ ପ୍ରତିମା ମଲ୍ଲିକ, ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଲଲାଟେନ୍ଦୁ, ପୂର୍ବତନ ଜିଲା କଂଗ୍ରେସ କମିଟି ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ଜିଲା ପରିଷଦ ସଦସ୍ୟ ପିନାକୀ ନାରାୟଣ ଦାସ, ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଦଳୀୟ ନେତା ହିମାଂଶୁ ମଲ୍ଲିକ, ପିସିସି ସମ୍ପାଦକ ନଳିନୀ ସ୍ବାଇଁ, ପୂର୍ବତନ ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଓ ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ବାଲିକୁଦାର ଜଣେ କଂଗ୍ରେସ ନେତାଙ୍କୁ ମଞ୍ଚକୁ ଡକାଯାଇଥିଲା। ଏହା ପରେ ମଞ୍ଚ ତଳେ ଏହି ନିର୍ବାଚନ ମଣ୍ଡଳୀର ଏକାଧିକ ସରପଞ୍ଚ, ସମିତି ସଭ୍ୟ ଓ ଦଳୀୟ କର୍ମୀ ଅସନ୍ତୋଷ ପ୍ରକାଶ କରି ସ୍ଥାନ ତ୍ୟାଗ କରିଥିଲେ। ମଞ୍ଚରେ ବସିଥିବା ଲାଲାଟେନ୍ଦୁ ମହାପାତ୍ର କହିଥିଲେ, ଆଗଧାଡିର ନେତାମାନଙ୍କ ସ୍ବାର୍ଥରେ ଆଞ୍ଚ ଆସିଲେ ସେମାନେ ଦଳ ବଦଳ କରିବାକୁ ପଛାଉନାହାନ୍ତି। କିନ୍ତୁ ତୃଣମୂଳସ୍ତରରେ ଯେଉଁମାନେ କଂଗ୍ରେସ ପାଇଁ କାମ କରୁଛନ୍ତି ସେମାନଙ୍କୁ ସମ୍ମାନ ଦେବା ଜରୁରୀ ବୋଲି କହିଥିଲେ। ଶିବିରରେ କଂଗ୍ରେସ ସମର୍ଥନରେ ନିର୍ବାଚିତ ଜିଲାର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ନଗର କଂଗ୍ରେସ କାଉନ୍‌ସିଲରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲାର ବହୁ ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ଏଥିରେ ଯୋଗ ଦେଇଥିଲେ।