ବଦଳୁଛନ୍ତି ଅଧିକାରୀ, ବଦଳୁନି ସୂଚନା ଫଳକ

ଆନନ୍ଦପୁର,୧୫।୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦର କାର୍ଯ୍ୟ ଧାରାକୁ ଦେଖିଲେ ଏହାର ଶାସନ ବ୍ୟବସ୍ଥାର ସ୍ବଚ୍ଛତା ସ୍ପଷ୍ଟ ହୁଏ। ସାଧାରଣରୁ ଅତି ସାଧାରଣ ଘଟଣାକୁ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ନଜରକୁ ଆସୁଥିଲେ ବି ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ପାଲଟିଛି। ଖୋଦ ପୌର ଅଧିକାରୀଙ୍କ ଚାମ୍ବରର ପ୍ରବେଶ ପଥରେ ଏକ ସୂଚନା ପ୍ରଦର୍ଶିତ ହୋଇଛି। ଏହି ସୂଚନା ଅନୁସାରେ ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ ନାମ ପ୍ରଶାନ୍ତ ନାୟକ(କନିଷ୍ଠ ଯନ୍ତ୍ରୀ) ଲେଖାଯାଇଛି। ଏହା ସହିତ ଅତିରିକ୍ତ ଲୋକ ସୂଚନା ଅଧିକାରୀ ସେକ୍‌ ଅବଦୁଲ୍ଲା( ବରିଷ୍ଠ ସାହାୟକ) ଏବଂ ପୌର ଅଧିକାରୀଙ୍କ ନାମ ବିପିନ ପ୍ରଧାନ ରହିଛି। ସୂଚନାରେ ଦର୍ଶାଯାଇଥିବା ନାମ ମଧ୍ୟରୁ କନିଷ୍ଠ ଯନ୍ତ୍ରୀ କେତେ ମାସ ହେଲା ଅନ୍ୟତ୍ର ବଦଳି ହେଲେଣି, ବରିଷ୍ଠ ସହାୟକ ଦୀର୍ଘ ମାସ ଛୁଟିରେ ଏବଂ ଗତ ଜାନୁୟାରୀ ମାସରୁ ପୌରଅଧିକାରୀ ଭାବେ ଲଳିତ କୁମାର ନାୟକ କାର୍ଯ୍ୟରତ ଅଛନ୍ତି। ହେଲେ ପୌର ଅଧିକାରୀଙ୍କ ଚାମ୍ବର ସମ୍ମଖରେ ପ୍ରଦତ୍ତ ସୂଚନାକୁ ପରିବର୍ତ୍ତନ କରା ନ ଯିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି।