ବଦଳିଲା ୧ନଂ. ପରିବା ହାଟ ନିୟମ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ପରିବା ହାଟ ସକାଳ ୬ଟାରୁ ୧୨ଟା ଯାଏ ଖୋଲା ରହିବାକୁ ନିୟମ ହୋଇଥିଲା। ତେବେ ହାଟରେ ଲୋକଙ୍କ ଅତ୍ୟଧିକ ଗହଳି ଦେଖିବାକୁ ମିଳୁଥିବାରୁ ଏହି ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ହାଟ ପାଖକୁ ବାଇକ୍‌ ନେବାକୁ ବାରଣ କରାଯାଇଛି। ଏଥିସହିତ ୧ ନମ୍ବର ପରିବା ହାଟରେ ବ୍ୟବସାୟୀ ଓ ଖାଉଟିଙ୍କ ପାଇଁ ଭିନ୍ନ ଭିନ୍ନ ସମୟ ନିର୍ଦ୍ଧାରଣ କରାଯାଇଛି। ମୁଖ୍ୟତଃ ସପ୍ତାହାନ୍ତ ଶଟ୍‌ଡାଉନ୍‌ର ପୂର୍ବ ଓ ପରଦିନ ହାଟରେ ହେଉଥିବା ଅସମ୍ଭବ ଭିଡ଼କୁ କମାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଭୋର ୩ଟାରୁ ସକାଳ ୬ ମଧ୍ୟରେ କେବଳ ହୋଲସେଲ୍‌ର ବା ବେପାରୀମାନେ କିଣାବିକା କରି ପାରିବେ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ସକାଳ ୬ ରୁ ଦିନ ୧୨ଯାଏ ସାଧାରଣ ଗ୍ରାହକ ପରିବା କିଣି ପାରିବେ ବୋଲି ସୋମବାର ବିଏମ୍‌ସି, ପରିବା ବ୍ୟବସାୟୀ ମହାସଂଘ ଓ କମିଶନରେଟ୍‌ ପୋଲିସ ଅଧିକାରୀଙ୍କୁ ନେଇ ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି। ଅନ୍ୟପକ୍ଷେ ହାଟରେ ଖୋଲାଯାଉଥିବା ପରିବା ଦୋକାନଗୁଡ଼ିକୁ ଜିଗ୍‌ଜାଗ୍‌ ପଦ୍ଧତିରେ (ଗୋଟିଏ ଦୋକାନ ଖୋଲା ରହିଲେ ପାଖ ଦକାନ ବନ୍ଦ ରହିବ) ଖୋଲିବାକୁ ନିଷ୍ପତି ନିଆଯାଇଛି।
ନିୟମ ଅନୁଯାୟୀ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ନିଜ ଘର ଠାରୁ ୫୦୦ମିଟର ମଧ୍ୟରେ ଥିବା ମାର୍କେଟକୁ ଚାଲି ଚାଲି ଯିବା କଥା। କିନ୍ତୁ ଏହାକୁ ଲୋକମାନେ ମାନୁ ନାହାନ୍ତି। ବାଇକ୍‌ ଧରି ୧ନମ୍ବର ହାଟକୁ ଯାଉଥିବାରୁ ସେଠାରେ ନାହିଁ ନ ଥିବା ଭିଡ଼ ହେଉଛି। ତେବେ ନୂଆ ନିୟମ ପରେ କିଶୋର କ୍ଲବ ପାଖରେ ଗୋଟିଏ ଗେଟ୍‌ ଆଗକୁ ଖୋଲାଯିବ ବୋଲି ବିଏମ୍‌ସି ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି। ଯେଉଁମାନେ ଡାଲା ଅଟୋରେ ପରିବା ନେବେ ସେମାନେ ଏହି ବାଟ ଦେଇ ନେଇପାରିବେ।