ପୁରାତନ ଦୃଷ୍ଟିକୋଣ ବଦଳୁ

ନିକଟରେ ମହାକାଶରୁ ସକୁଶଳ ଫେରିଆସିଥିବା ସୁନୀତା ୱିଲିୟମ୍ସଙ୍କ ଚର୍ଚ୍ଚା ସବୁଠି, ଯଦିଓ ତାଙ୍କ ସହିତ ବୁଚ୍‌ ୱିଲ୍‌ମୋର ଓ ଅନ୍ୟ ଦୁଇଜଣ ସହଯାତ୍ରୀ ଥିଲେ। ନାନା ସଂଶୟ ଭିତରେ ଭାରତୀୟ ବଂଶୋଦ୍ଭବ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପୃଥିବୀବାସୀଙ୍କୁ ଆଶ୍ୱସ୍ତ କରିବା ସହିତ ଭାରତକୁ ଗର୍ବିତ କରିଛି। ସମଗ୍ର ନାରୀ ଜାତି ପାଇଁ ସୁନୀତା ଉଦାହରଣୀୟ। ପ୍ରତିକୂଳତା ସହିତ ସଂଗ୍ରାମ କରି ୯ମାସ ୧୪ ଦିନ ମହାକାଶରେ ବିତାଇବା କଷ୍ଟକର ତଥା ଆହ୍ବାନପୂର୍ଣ୍ଣ। ନାରୀକୁ ତା’ର ଅସୀମ ଶକ୍ତି ସହିତ ପୁନର୍ବାର ପରିଚିତ କରାଇ ସୁନୀତା ପ୍ରମାଣିତ କରିଦେଲେ ଯେ ନାରୀ କୌଣସି ସ୍ଥିତିରେ ଦୁର୍ବଳା ନୁହେଁ।
ସମୟ ଥିଲା ଝିଅ ଜନ୍ମ ଗୋଟେ ପ୍ରକାରର ପାରିବାରିକ ବୋଝ ରୂପେ ପରିଗଣିତ ହେଉଥିଲା। ଝିଅ ଜନମ ପରଘରକୁ ବୋଲି ବିଚାର କରାଯାଉଥିଲା। ସେଥିପାଇଁ ଖୁବ୍‌ କମ୍‌ ବୟସରୁ ତାକୁ ଶାଶୁଘରର ସଣ୍ଠଣା, ଆଦବ କାଇଦା, ଚାଲିବୋଲି ଶିଖାଯାଉଥିଲା। ମନଖୋଲି ସ୍ବପ୍ନ ଦେଖିବା, ହସିବା, କାନ୍ଦିବା, ରୁଷିବା, ଖୁସିରେ ବିହ୍ବଳି ଉଠିବା, ଅଗଣାର ଫୁଲଗଛରୁ ବୁଲିବୁଲି କଙ୍କି କିମ୍ବା ପ୍ରଜାପତି ଧରିବା, ଫୁଲ ପରି ସ୍ବାଧୀନ ଭାବେ ଫୁଟିଉଠି ବାସ ବିତରିବା କିମ୍ବା ପକ୍ଷୀପଣରେ ଉଡିବା ସବୁକିଛି ତାକୁ ମନା ଥିଲା। ଏରୁଣ୍ଡିବନ୍ଧ ଡେଇଁ ବାହାରକୁ ଯିବା ପାଇଁ ଥିଲା ନାନା କଟକଣା। ଝିଅ ଚାଲିଲା ବେଳେ ତା’ ପାଦ ଶବ୍ଦ ଯେପରି ନ ଶୁଭେ! ସେ ହସିବାର କି କାନ୍ଦିବାର ଶବ୍ଦ ବି ଯେପରି କେହି ନ ଜାଣେ! ପଣତ କିମ୍ବା ତକିଆ ସିନା ଝିଅର କାନ୍ଦିବା ଦେଖେ, ହେଲେ ପାଖ ମଣିଷମାନେ ଯେପରି ସେସବୁ ଅନୁଭବ କରି ନ ପାରନ୍ତି- କାନେ କାନେ ଶିଖାଯାଏ ସେମାନଙ୍କୁ। ଝିଅ ପ୍ରତିବାଦ କରିବା ପାପ, ତା’ ପାଟିରୁ କୌଣସି କାମ ପାଇଁ ନା ବାହାରିବା ଅଶୋଭନୀୟ। ନ ହେଲେ ଘର ଭାଙ୍ଗିଯିବ, ଅଶାନ୍ତି ସୃଷ୍ଟିହେବ। ଝିଅରୁ ନାରୀ, ପତ୍ନୀ, ମା’ ଭୂମିକାରେ ତା’ ହାତପାଦ, ମନ ବି ବନ୍ଧା! ସେ କାଳେ ଯୋଡ଼ିରଖେ ପରିବାରକୁ! ଏତେସବୁ କଟକଣା ଓ ଲକ୍ଷ୍ମଣଗାର ଭିତରର ଜୀବନ ତା’ର ଅଭ୍ୟାସରେ ପରିଣତ ହୋଇଯାଉଥିଲା। ପଞ୍ଜୁରି ଭିତରେ ଯାହାର ଜନ୍ମ, ଜୀବନଧାରଣ ଓ ମରଣ ତାକୁ ମୁକ୍ତାକାଶ କିପରି ଆକର୍ଷିବ! ଧୂଳିରେ ମିଛିମିଛିକା ଭାତ ତିଅଣ, କଣ୍ଢେଇ ବାହାଘର ଭିତରେ ତାକୁ ତା’ ଜୀବନର ଚିତ୍ର ଦେଖାଇ ଦିଆଯାଉଥିଲା। ତାରି ଭିତରେ କେତେବେଳେ ସେ ପରିପକ୍ୱ ହୋଇ ଶାଢ଼ି ଗହଣା, ସିନ୍ଦୂର, ଚୁଡ଼ି ପିନ୍ଧି ଶାଶୁଘରକୁ ଚାଲିଯାଉଥିଲା ହେଜ ନ ଥିଲା।
ଧୀରେ ଧୀରେ ସମୟ ବିତିଲା କିନ୍ତୁ ସମୟାନୁସାରେ ଝିଅମାନଙ୍କ ପାଇଁ ପାରିବାରିକ ଦୃଷ୍ଟିକୋଣ ବଦଳିଲା ନାହିଁ। ତାକୁ କେତେବେଳେ ଘିଅ, କାଚ ପରି ବିଭିନ୍ନ ଦ୍ରବ୍ୟ କିମ୍ବା ଦାନବସ୍ତୁ ରୂପେ ବିବେଚନା କରାଗଲା ତ କେତେବେଳେ ବିଭିନ୍ନ ପଶୁପକ୍ଷୀଙ୍କ ସହିତ ତୁଳନା କରାଗଲା। ନାରୀ ସଶକ୍ତୀକରଣର ଦ୍ୱାହିରେ ସେ ଯେତେବେଳେ ଆଗକୁ ବଢ଼ିଲା ତା’ର ପାଦ ରୋକାଗଲା। ଶିକ୍ଷା, ପଦପଦବୀ, ପରିଚିତି, ରାଜନୀତି ସବୁଥିରେ ପୁରୁଷ ସହିତ ସମକକ୍ଷ ନାରୀଟିକୁ କେବେ ବଳାତ୍କାରର ଶିକାର ହେବାକୁ ପଡ଼ିଲା ତ କେବେ ପାରିବାରିକ ରୋଷ, କର୍ମକ୍ଷେତ୍ରର ମାନସିକ ଓ ଶାରୀରିକ ନିର୍ଯାତନା ତା’ ଜୀବନଯାତ୍ରାର ପ୍ରତିବନ୍ଧକ ସାଜିଲା। ଘରେ, ବାହାରେ ଭିତରେ ବାଣ୍ଟିହୋଇ ସେ ଯେତେ ଭାଙ୍ଗି ହେଲେ ବି ପ୍ରଶଂସାର ପାତ୍ର ବନିଲାନି! ବରଂ ଜିରାରୁ ଶିରା କାଢ଼ି ତାକୁ କଳେବଳେ କୌଶଳେ ଛନ୍ଦି ଦିଆଗଲା। କାରଣ ପୂର୍ବରୁ ଝିଅ/ନାରୀକୁ ନେଇ ଲୋକଙ୍କ ମନୋଦ୍ଦଶା ଆଜି ବି ବଳବତ୍ତର ରହିଛି। ସାତ ମାସର ଶିଶୁଠାରୁ ସତୁରି ବର୍ଷର ବୃଦ୍ଧା କେହି ବି ସୁରକ୍ଷିତ ନୁହନ୍ତି! ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଗଣବଳାତ୍କାରର ବର୍ବରତା ଏବେ ବି ହୃଦୟ ଥରାଇଦେଉଛି! ସେ ଅସୁରକ୍ଷିତା!
ଯୁଗ ବଦଳିଛି। ମଣିଷର ସ୍ଥାନ ରୋବୋ ନେଲାଣି! ମଣିଷ ମହାକାଶକୁ ଗଛଲତା, ଜୀବଜନ୍ତୁଙ୍କ ସହିତ ନିଜର ବାସୋପଯାଗୀ ସ୍ଥାନ ବନାଇବା ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଛି। ଅପର ପକ୍ଷରେ ସମାଜରେ ଅଶାନ୍ତି, ବିଶୃଙ୍ଖଳା, ହିଂସା ପ୍ରତିହିଂସା ଓ ଯୁଦ୍ଧର ବିଗୁଲ୍‌! ସୀମାହୀନ ଅହମିକାରେ ମଣିଷ ବନ୍ଦୀ! ନିଜ ଅବଦମିତ କ୍ଷମତା ନିଶାରେ ଅନ୍ଧ ଓ ପରାଧୀନ। ବିଚାରଧାରା ବା ଦୃଷ୍ଟିଭଙ୍ଗୀ ବଦଳାଇବାର ସମୟ ଏବେ ଉପନୀତ। ଆଗରୁ ଝିଅ ବାହାରକୁ ଯିବାରେ କଟକଣା ଥିଲା। କଲେଜ, ଟିଉଶନ୍‌ରୁ ଫେରିବା ବିଳମ୍ବ ହେଲେ ଖୋଜାପଡୁଥିଲା। ବର୍ତ୍ତମାନ ପୁଅଟିର ଫେରିବା ବିଳମ୍ବ ହେଲେ ମା’ବାପା ଓ ଗୁରୁଜନମାନେ ପଚାରି ବୁଝନ୍ତି। ସେ ମିଶୁଥିବା ସାଙ୍ଗ ଓ ତା’ ପରିସର ସହିତ ପରିଚିତ ହୁଅନ୍ତି। ସେ ନିଶାଦ୍ରବ୍ୟ ଖାଉଛି କି ନାହିଁ, ତା’ର ବ୍ୟକ୍ତିଗତ ଜୀବନ କିପରି ଚାଲିଛି ଏସବୁକୁ ଟିକିନିଖି ଜାଣିବା ଆବଶ୍ୟକ। ତା’ର ହାବଭାବ, କଥାବାର୍ତ୍ତା, ଚାଲିଚଳନ ଉପରେ ନଜର ଦେବା ଜରୁରୀ। ସେଥିରୁ ଜଣାପଡ଼ିବ ପୁଅଟି କେଉଁ ରାସ୍ତାରେ ପାଦ ଦେଇଛି। ବିଗତ କିଛିବର୍ଷରୁ ପୁଅମାନେ କରୁଥିବା ହତ୍ୟା, ଆତ୍ମହତ୍ୟା, ବଳାତ୍କାର ବା ଗଣବଳାତ୍କାର ଏ ଦୁଇ ପ୍ରକାରର ମାନସିକତା ସେମାନଙ୍କ ବିଚାରଧାରା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି!
ପୀଡ଼ିତା ଅପେକ୍ଷା ଆରୋପୀକୁ ଆକ୍ଷେପ କରାଯାଉ। ଆରୋପୀ ବା ଅତ୍ୟାଚାରୀ ଦଣ୍ଡନୀୟ, ପୀଡ଼ିତା ନୁହେଁ। ତେଣୁ ବାରବାର ପୀଡ଼ିତାଙ୍କୁ ନେଇ ଘରେ ବାହାରେ ଆଲୋଚନା ନ ହେଉ। କ୍ଷତକୁ ବାରବାର ଉଖାରିଲା ଭଳି ପ୍ରଶ୍ନ ପଚାରି ତା’ଠାରୁ ସ୍ବାଭାବିକ ଜୀବନଧାରଣର ଅଧିକାର ଛଡ଼େଇ ନିଆ ନ ଯାଉ। ବାହାରକୁ ଯାଉଥିବା ଝିଅ ସହିତ ପୁଅକୁ ବି ଶୀଘ୍ର ଘରକୁ ଫେରିବା ପାଇଁ ତାଗିଦ କରାଯାଉ। ଝିଅ ହେଉ ବା ପୁଅ ଜଣେ ପୀଡ଼ିତ ହେଲେ ଅନ୍ୟଜଣେ ଆରୋପୀ ନିଶ୍ଚୟ। ତେଣୁ ଉଭୟଙ୍କୁ ସମାନ ଶିକ୍ଷାଦାନ ଓ ସଚେତନ କରିବା ଜରୁରୀ। ଛୋଟବେଳୁ ହାତରେ ମୋବାଇଲ ଧରାଇଦେଇ ମା’ବାପା ଧନୀପଣିଆର ଡିଣ୍ଡିମ ନ ପିଟନ୍ତୁ। ଶୈଶବରୁ ନୈତିକ ଶିକ୍ଷା ସହିତ ବୌଦ୍ଧିକ, ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରି ଝିଅପୁଅ ଉଭୟଙ୍କୁ ସୁଶିକ୍ଷିତ କଲେ ସମାଜର ଅଧୋପତନକୁ ରୋକାଯାଇପାରନ୍ତା। ମନେରଖିବାକୁ ହେବ ଗୋଟେ ହାତରେ ତାଳି ବାଜେନା। ତେଣୁ ଉଭୟଙ୍କୁ ସୁମାର୍ଜିତ, ସୁଶିକ୍ଷିତ ଓ ଶୃଙ୍ଖଳିତ କରିବା ମା’ବାପା ଓ ପରିବାରର ମୁଖ୍ୟ ଦାୟିତ୍ୱ। ସେ ଦାୟିତ୍ୱକୁ ଠିକ୍‌ ରୂପେ ନିର୍ବାହ କଲେ ପରିବାର ସହିତ ସମାଜର ଅଭିବୃଦ୍ଧି ହେବ।

ଡ. ମୌସୁମୀ ପରିଡ଼ା
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?