ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଟ୍ରେନ୍‌ ନମ୍ବର ୦୮୨୬୩ ଓ ୦୮୨୬୪ ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍‌କୁ ଉଭୟ ଦିଗରୁ ଆସନ୍ତା ଏପ୍ରିଲ୍‌ ୨୦ରେ ବାତିଲ କରାଯାଇଛି। ସେହିପରି ଟ୍ରେନ୍‌ ନମ୍ବର ୧୨୮୯୩ ଭୁବନେଶ୍ୱର-ସୋନପୁର ଏକ୍ସପ୍ରେସ୍‌ ଏପ୍ରିଲ୍‌ ୨୦ରେ ସୋନପୁର ନ ଯାଇ ସମ୍ବଲପୁର ଆସି ରହଣି କରିବ। ଟ୍ରେନ୍‌ ନମ୍ବର ୧୨୮୯୪ ସୋନପୁର-ଭୁବନେଶ୍ୱର ଟ୍ରେନ୍‌ ସମ୍ବଲପୁରରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଉକ୍ତଦିନ ସମ୍ବଲପୁର-ସୋନପୁର ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିବ। ଏହାବ୍ୟତିତ ଏପ୍ରିଲ୍‌ ୨୦ରେ ଜଗଦଲପୁର-ହାୱଡ଼ା ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍‌ ନମ୍ବର ୧୮୦୦୬ ଜଗଦଲପୁର ବଦଳରେ ଟିଟିଲାଗଡ଼ରୁ ଛାଡ଼ିବ। ତେବେ ଟିଟିଲାଗଡ଼ରୁ ଏକଘଣ୍ଟା ବିଳମ୍ବରେ ଅର୍ଥାତ୍‌ ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୪୫ ପରିବର୍ତ୍ତେ ୩ଟା ୪୫ରେ ହାୱଡ଼ା ଅଭିମୁଖେ ଛାଡ଼ିବ।