ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ସଜେଇ ହେଉଛି ମଦନ ମୋହନ ପୀଠ, ନୌବିହାର ପାଇଁ…

ଗଞ୍ଜାମ,୧୫।୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ ଐତିହାସିକ ଚନ୍ଦନ ଯାତ୍ରା ଆରମ୍ଭ ହେବ l ଏହି ଯାତ୍ରା ଏପ୍ରିଲ ୨୦ ରୁ ଆରମ୍ଭ ହୋଇ ମେ’ ମାସ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୨୧ ଦିନ ଧରି ଅନୁଷ୍ଠିତ ହେବ l ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ବାବା ମଦନ ମୋହନଙ୍କ ପୀଠ ଶତପ୍ରତିଶତ ସଜ୍ଜା ସାରିଲାଣି ।ଠାକୁର ଶ୍ରୀ ଶ୍ରୀ ମଦନ ମୋହନଙ୍କ ନୌବିହାର ପାଇଁ ଦାମୋଦର ପୁର ଗ୍ରାମର କୈବର୍ତ୍ତଙ୍କଠାରୁ ଆବଶ୍ୟକ ଡ଼ଙ୍ଗା କିଣା ଯାଇ ଋଷିକୂଲ୍ୟା ନଦୀ ଠାରେ ପୂଜାର୍ଚ୍ଚନା ପରେ ଡ଼ଙ୍ଗା ମହଜୁଦ ରହିଛି । ଏଥିସହ ମଦନ ମୋହନ ଚାପ ଖେଳିବା ପାଇଁ ଚାପ ବନ୍ଧର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉକ୍ତ ଡ଼ଙ୍ଗାକୁ ସୁସଜ୍ଜିତ କରାଯାଇଛି ।  ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳରେ ପୂଜା ପାଉଥିବା ବିଭିନ୍ନ ଦେବାଦେବୀ ମଦନ ମୋହନଙ୍କ ସହ ମିଶି ନୌ ବିହାର କରିବେ l ବାବା ମଦନ ମୋହନ ସମସ୍ତ ଠାକୁରାଣୀ ଓ ଠାକୁରଙ୍କୁ ନିମନ୍ତ୍ରଣ କରିବା ଏବଂ ଏକତ୍ରିତ ହେବା ପରେ ମିଳନ ପର୍ବ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।
ସୁରେନ୍ଦ୍ର କୁମାର ବାରିକି, ମୟ ବାରିକି, ବିଭୁ ପଲାଇ, ସନ୍ତୋଷ ଆଚାର୍ଯ୍ୟ, ଜଗା ଆଚାର୍ଯ୍ୟ, ମୁକେଶ ପାଢ଼ୀ, ଲିଙ୍ଗା ପାଢ଼ୀ,ବିରେନ ମହାପାତ୍ର, ଉପେନ୍ଦ୍ର ଆଚାର୍ଯ୍ୟ, ସୋହନ ପଟ୍ଟନାୟକ,ଶୋନୁ ଗୌଡ଼,ବାପି ଛଟେଇ, ଗଣେଶ ମହାରଣା,ପ୍ରମୁଖଙ୍କ ସମେତ ତିନି ସାହି ତଥା ପଣ୍ଡା ସାହି, ସାମନ୍ତରା ସାହି ଏବଂ କରଣ ସାହି ପରିଚାଳନା କରୁଛନ୍ତି। ପ୍ରଶାସନ ସ୍ତରରେ ସମସ୍ତ ଆଲୋଚନା ହୋଇଥିବା ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର ବାରିକି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପାଞ୍ଚ ବର୍ଷକୁ ଥରେ ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମଗ୍ର ଗଞ୍ଜାମ ସହର ଚଳଚଞ୍ଚଳ ହୋଇ ଉଠିଛିl ଚନ୍ଦନ ଯାତ୍ରା ସମୟରେ ରାମଦୋଳି, ମିନା ବଜାର ଖୋଲା ଯିବା ଲାଗି ନିଷ୍ପତ୍ତି ନିଆଯାଇଥିବା ଯାତ୍ରା ପରିଚାଳନା କମିଟି ପକ୍ଷରୁ କୁହା ଯାଇଛି ।
Dharitri – Odisha’s No.1 Odia Daily

Share