୧୮ରୁ କୁଆପଥର ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨ା୩(ଅନିଲ ଦାସ):ରାଜ୍ୟରେ ଆସନ୍ତା ୨୧ ତାରିଖ ଯାଏ ତାତି ବଢ଼ିବ ନାହିଁ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ସେଲ୍‌ୟସ ରହିବ। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ସେଲ୍‌ସିୟସ ରହିବା ସମ୍ଭାବନା ରହିଛି। ରାତ୍ରିରେ ପାଗ ଆରାମଦାୟକ ରହିବ। ସର୍ବନିମ୍ନ ତାପମାତ୍ରା ୧୬ରୁ ୨୨ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ୧୬ ତାରିଖରୁ ସମୁଦ୍ର ପଟୁ ଦକ୍ଷିଣ ପୂର୍ବ ଦିଗରେ ବାୟୁ ପ୍ରବାହ ହେବା ସହ ଓଡ଼ିଶା ଉପରେ ଏକ ଟ୍ରପ୍‌ ଲାଇନ ରହିବ।
ଏହାର ପ୍ରଭାବରେ ୧୬ରୁ ୧୮ ତାରିଖ ଯାଏ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀଜନିତ ଝଡ଼ବର୍ଷା ହେବ। ଏଥିସହ କେତେକ ସ୍ଥାନରେ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି।