୧୭ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଲଘୁଚାପ ମିଶ୍ରିତ ମୌସୁମୀ ଯୋଗୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ କେନ୍ଦୁଝରର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହିତ ଜଗତ୍‌ସିଂହପୁର, କଟକ, ପୁରୀ, ଅନୁଗୋଳ, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହେବ। ଏହି ସବୁ ଜିଲାପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଲଗାଣ ବର୍ଷା ନ ଥିଲେ ମଧ୍ୟ ଆସନ୍ତା ୧୯ ତାରିଖ ଯାଏ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱରରେ ୧.୯ ମିଲିମିଟର ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୩୫.୮, କଟକ ୪୪.୨, ପାରାଦୀପ ୦.୪, ଭୁବନେଶ୍ୱର ୧୧.୪, ଗୋପାଳପୁର ୦.୯, ପୁରୀ ୫୨.୮, ଅନୁଗୋଳ ୯.୬, ବାରିପଦା ୪, ଝାରସୁଗୁଡା ୩୮.୧, କେନ୍ଦୁଝର ୩୪.୫, ସୁନ୍ଦରଗଡ଼ ୩୩, ଭବାନୀପାଟଣା ୩୦.୬, ବଲାଙ୍ଗୀର ୨.୮, କୋରାପୁଟ ୩୯, ଟିଟିଲାଗଡ଼ ୨୫, ମାଲକାନଗିରି ୧୭.୨, ଛତ୍ରପୁର ୨.୪ ଏବଂ ରାୟଗଡ଼ାରେ ୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।