Categories: ରାଜ୍ୟ

୩ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୭ା୪(ବ୍ୟୁରୋ): ରାଜ୍ୟର ଉପକୂଳ ଓଡ଼ିଶାରେ ତାତିର ପ୍ରକୋପ ହ୍ରାସପାଇଛି। ସମୁଦ୍ର ଆଡୁ ପବନ ବହୁଥିବାରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପାରଦ ୪୦ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଆସନ୍ତା ୮ ତାରିଖରୁ ୧୧ ତାରିଖ ମଧ୍ୟରେ ରାଜ୍ୟର ଅନେକ ଭାଗରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୮ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ,ଯାଜପୁର, ଗଞ୍ଜାମ, କନ୍ଧମାଳ, ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୯ ତାରିଖରେ କେନ୍ଦୁଝର,ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ଅନୁଗୋଳ, ଖୋର୍ଦ୍ଧା ଏବଂ ୧୦ ତାରିଖରେ ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ ଏବଂ ମୟୂରଭଞ୍ଜ ଜିଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଘଣ୍ଟାକୁ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳରେ ସାମାନ୍ୟ ଆଶ୍ୱସ୍ତି ଥିବା ବେଳେ ପଶ୍ଚମ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ଉପର ମୁହାଁ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡରେ ସର୍ବାଧିକ ୪୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି ୪୧, ବଲାଙ୍ଗୀର ୪୧.୫, ଭବାନୀପାଟଣା ୪୦.୮, ସୋନପୁର ୪୧, ବୌଦ୍ଧ ୪୧ ଏବଂ ରାୟଗଡାରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।