୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୭(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା ଓ କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ଅନୁଗୋଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରି, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ଦେବଗଡ଼ ଓ କେନ୍ଦୁଝର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ସୂଚନା ଅନୁଯାୟୀ ପାରାଦୀପରେ ୧୯.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୧୩.୮, ଗୋପାଳପୁର ୩୮.୮, ପୁରୀ ୨୩.୪, ଅନୁଗୋଳ ୩୪, ଝାରସୁଗୁଡା ୩୦, ସମ୍ବଲପୁର ୧୭, ହୀରାକୁଦ ୩୪.୨, ତାଳଚେର ୩୨, ଭବାନୀପାଟଣା ୫୭.୮, ବଲାଙ୍ଗୀର ୧୩, ଟିଟିଲାଗଡ଼ ୩୪, ନୟାଗଡ଼ ୮୧, ଦାରିଙ୍ଗବାଡ଼ି ୩୩, ବୌଦ୍ଧ ୧୫, ଛତ୍ରପୁର ୪୬, ପାରଳାଖେମୁଣ୍ଡି ୨୮.୪ ଏବଂ ରାୟଗଡ଼ାରେ ୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।