ନୂଆଦିଲ୍ଲୀ,୬।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ ସମୟ ବାକି ଅଛି। ହେଲେ ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ମିଚେଲ ମାର୍ଶ ପୂର୍ବରୁ ଟୁର୍ନାମେଣ୍ଟରୁ ବାଦ ପଡ଼ିଥିବାବେଳେ ମାର୍କସ ଷ୍ଟୋଇନିସ ମଧ୍ୟ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏବେ ଅଷ୍ଟ୍ରେଲିଆକୁ ଆହୁରି ବଡ଼ ଝଟକା ଲାଗିଛି କାରଣ ଦଳର ଅଧିନାୟକ ପ୍ୟାଟ କମିନ୍ସ ଏବଂ ଷ୍ଟାର ଦ୍ରୁତ ବୋଲର ଜୋଶ ହାଜେଲଉଡ ମଧ୍ୟ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଦଳର ଉଭୟ ଅଭିଜ୍ଞ ଦ୍ରୁତ ବୋଲର ସମୟ ମଧ୍ୟରେ ଆଘାତରୁ ସୁସ୍ଥ ହୋଇପାରି ନଥିଲେ। ଏଥିଯୋଗୁ ଏବେ ସେମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେବେ ନାହିଁ।
ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ଉଭୟ ଖେଳାଳି ସମୟ ମଧ୍ୟରେ ଫିଟ ହୋଇପାରିବେ ନାହିଁ। ଭାରତ ବିପକ୍ଷ ଟେଷ୍ଟ ସିରିଜ ସମୟରେ କମିନ୍ସ ଆହତ ହୋଇଥିଲେ। କିନ୍ତୁ ସେ ସମଗ୍ର ସିରିଜର ଅଂଶ ଥିଲେ। ସେହିଭଳି ତୃତୀୟ ଟେଷ୍ଟ ସମୟରେ ଜୋଶ ହାଜେଲଉଡ ସିରିଜରୁ ବାହାରେ ଥିଲେ। ସେବେଠାରୁ ଏହି ଦୁଇ ଖେଳାଳି ଫିଟ ହୋଇ ପାରି ନାହାନ୍ତି। ଏପରି ପରିସ୍ଥିତିରେ, ଏବେ କ୍ରିକେଟ ଅଷ୍ଟ୍ରେଲିଆକୁ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବାକୁ ପଡିବ।
କମିନ୍ସଙ୍କ ଅଧିନାୟକତ୍ୱରେ ହିଁ ଅଷ୍ଟ୍ରେଲିଆ 2023 ବିଶ୍ୱକପ ଜିତିଥିଲା, ଯେଉଁଥିରେ ତାଙ୍କ ବ୍ୟତୀତ ହାଜେଲଉଡ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଉଭୟଙ୍କ ଅନୁପସ୍ଥିତିରେ ବୋଲିଂ ଆକ୍ରମଣର ଦାୟିତ୍ୱ ଏବେ ସମ୍ପୂର୍ଣ୍ଣ ଭାବରେ ବାମହାତୀ ଷ୍ଟାର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଉପରେ ପଡ଼ିବ। ଅଷ୍ଟ୍ରେଲିଆ ପାଖରେ କେବଳ ଫେବୃଆରୀ 12 ପର୍ଯ୍ୟନ୍ତ ସମୟ ଅଛି, ଯେତେବେଳେ ସେମାନେ ICCର ଅନୁମତି ବିନା ସେମାନଙ୍କ ଦଳରେ ଏହି ପରିବର୍ତ୍ତନ କରିପାରିବେ। ଏହା ପରେ ସେମାନଙ୍କୁ କୌଣସି ପରିବର୍ତ୍ତନ ପାଇଁ ICC କୁ ଅନୁରୋଧ କରିବାକୁ ପଡିବ।


