ଆଜି ଚକାଜାମ୍‌ ଆନ୍ଦୋଳନ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରବିବାର ସମଗ୍ର ଦେଶରେ ଚକାଜାମ୍‌ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶାରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଏହି ଆନ୍ଦୋଳନ ହେବ। ଧାନ ଓ ଅନ୍ୟାନ୍ୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷକଙ୍କ ବିରୋଧରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର, ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି କୃଷକ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ବିଦ୍ୟୁତ୍‌ ବିଲ୍‌-୨୦୨୦କୁ ବିରୋଧ କରି ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍‌ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶନିବାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଚକାଜାମ୍‌ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଚାକଜାମ୍‌ ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନ ସାମିଲ ହେଉ ନ ଥିଲେ ମଧ୍ୟ ନୈତିକ ସମର୍ଥନ ଦେଉଥିବା ଆବାହକ ଅକ୍ଷୟ କୁମାର କହିଛନ୍ତି।