ବଲାଙ୍ଗୀରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ, ୨୨ା୧୦: ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ତଦାରଖ କରିବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଅପରାହ୍ନରେ ବଲାଙ୍ଗୀରରେ ପହଞ୍ଚତ୍ଥିଲେ। ଏଠାରେ ପହଁଞ୍ଚତ୍ବା ପରେ ଏହି ଟିମ୍‌ ଏସପି ଅଫିସକୁ ଯାଇ ଏସପି ନୀତିନ କୁଶଲକରଙ୍କୁ ସାକ୍ଷାତ କରି ମମିତା ହତ୍ୟାକାଣ୍ଡର ତଦନ୍ତ କିପରି ଚାଲିଛି ପଚାରି ବୁଝିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଅଧ୍ୟକ୍ଷା ବେହେରା କହିଥିଲେ, ମମିତାଙ୍କୁ ହତ୍ୟା ଅତ୍ୟନ୍ତ ଦୁଃଖଦ ଘଟଣା। ଏକ ଅମୂଲ୍ୟ ଜୀବନ ନଷ୍ଟ ହୋଇଯାଇଛି। ଏହି ଅବସରରେ ଏସ୍‌ପି କହିଥିଲେ ପୋଲିସ ବିଭାଗ ପକ୍ଷରୁ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୁବ୍‌ ଶୀଘ୍ର ତଦନ୍ତ ପ୍ରକ୍ରିୟା ସାରିବେ ବୋଲି ସେ କହିଛନ୍ତି। ମହିଳା କମିଶନ ତରଫରୁ ଏହି ଟିମ୍‌ ପୀଡିତାଙ୍କ ପରିବାରବର୍ଗଙ୍କୁ ଶନିବାର ଝରଣୀ ଗଁାକୁ ଯାଇ ଭେଟିବ। ପୀଡିତାଙ୍କ ପରିବାରବର୍ଗ କିଭଳି ଭାବେ ସୁରକ୍ଷିତ ରହିବେ ସେନେଇ ଏସପିଙ୍କ ସହ ଆଲୋଚନା ହୋଇଥିବା କହିଥିଲେ। ପୀଡିତା କିଭଳି ନ୍ୟାୟ ପାଇବ। ଦୋଷୀକୁ କିଭଳି କଠୋରରୁ କଠୋର ଦଣ୍ଡ ଦିଆଯିବ ଯେପରି ଆଗକୁ ଏଭଳି କାଣ୍ଡ ଭିଆଇବାକୁ ଅନ୍ୟ କେହି ସାହସ କରିବେ ନାହିଁ, ସେ ଦିଗରେ କାର୍ଯ୍ୟଧାରା ଜାରି ରଖିଛୁ ବୋଲି ସେ କହିଥିଲେ। ଝରଣୀରୁ ମହାଲିଙ୍ଗକୁ ମଧ୍ୟ ଟିମ୍‌ ପରିଦର୍ଶନରେ ଯିବ। ସେଠାରେ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ସେମାନେ କିଭଳି ଉତ୍ତମ ପରିବେଶ ଭିତରେ ପାଠ ପଢ଼ିବେ ସେ ସଂକ୍ରାନ୍ତରେ ମଧ୍ୟ କଳାହାଣ୍ଡି ଜିଲାପାଳଙ୍କ ସହ ଆଲୋଚନା କରିବେ। ଏହାପରେ ହତ୍ୟାକାଣ୍ଡ ସଂଘଟିତ ସ୍ଥଳ ପରିଦର୍ଶନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ମମିତା ହତ୍ୟାକାଣ୍ଡର ତଦନ୍ତ ଠିକ୍‌ ଭାବରେ କରାଯିବାକୁ କମିଶନ ପକ୍ଷରୁ ଏସପିଙ୍କୁ ଚିଠି ଲେଖାଯାଇଛି ବୋଲି କହିଥିଲେ। ପରିଦର୍ଶନ ସମୟରେ ଯାହା ଅନୁଧ୍ୟାନ କରାଯିବ ତାକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ସୁପାରିଶ କରିବୁ ବୋଲି ସେ କହିଥିଲେ। ଏହି ଟିମ୍‌ରେ ଅଧ୍ୟକ୍ଷା ଡ. ବେହେରାଙ୍କ ସହ ଆଡିସନାଲ ଏସପି ବିଜୟା ବରୁଆ, ଇନ୍ସପେକ୍ଟର ସସ୍ମିତା ଦାସ, ଆଇନ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ଆସିଛନ୍ତି।