୧୯ରେ ସିଜିଏଲ୍‌ ପରୀକ୍ଷା: ଡାଉନ୍‌ଲୋଡ୍‌ ହେଉନି ଆଡ୍‌ମିଟ କାର୍ଡ, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର,୧୪।୪(ସୁଚିସ୍ମିତା ସାହୁ): ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରିଚାଳିତ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେଭଲ (ସିଜିଏଲ) ପରୀକ୍ଷା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଗତ ୧୦ ତାରିଖରୁ ଓଏସ୍‌ଏସ୍‌ସି ପକ୍ଷରୁ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ କରାଯାଇଛି। ହେଲେ ଓ୍ବେବ୍‌ସାଇଟ୍‌ରୁ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ହେଉ ନ ଥିବାରୁ ଆଶାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ବହୁ ଛାତ୍ରୀଛାତ୍ର ଲଗ୍‌ଇନ୍‌ କରିବା ସମୟରେ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍‌ ନମ୍ବର ଓ ମେଲ୍‌ ଆଇଡି ଇନ୍‌ଭାଲିଡ୍‌ ବୋଲି ଦେଖାଉଛି। ଫଳରେ ସେମାନେ ନିଜ ପ୍ରୋଫାଇଲ୍‌ ଖୋଲିପାରୁ ନାହାନ୍ତି।

ସେହିପରି ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ପ୍ରକାଶ ପାଇଥିଲେ ମଧ୍ୟ ଫଟୋ ରହିନାହିଁ। ଆଉ କେତେଜଣ ଆବେଦନକାରୀ ଅଭିଯୋଗ କରୁଛନ୍ତି ଯେ, ସେମାନଙ୍କ ମୋବାଇଲକୁ ଓଟିପି ଯାଉନାହିଁ। ଓଏସ୍‌ଏସ୍‌ସି ସହାୟତା ନମ୍ବରରେ ଫୋନ୍‌ କଲେ କେହି ଉଠାଉ ନାହାନ୍ତି। ଏଭଳି ଘଟଣାକୁ ନେଇ ଆଶାୟୀମାନେ ସୋମବାର କାର୍ଯ୍ୟାଳୟରେ ପହଞ୍ଚତ୍ ଅଭିଯୋଗ କରିଛନ୍ତି। ପରୀକ୍ଷା ପାଖେଇ ଆସୁଥିବା ବେଳେ ପାଠପଢ଼ିବା ପରିବର୍ତ୍ତେ କାର୍ଯ୍ୟାଳୟକୁ ଧାଇଁବା ଠିକ୍‌ ଲାଗୁନାହିଁ ବୋଲି ସେମାନେ କହିଛନ୍ତି। ଏହି ସମସ୍ୟା ଓ ଅଭିଯୋଗ ସଂକ୍ରାନ୍ତରେ ଓଏସ୍‌ଏସ୍‌ସି ପକ୍ଷରୁ କୁହାଯାଇଛି, ଯେଉଁ ପ୍ରାର୍ଥୀଙ୍କ ମୋବାଇଲ୍‌ ନମ୍ବର ଓ ମେଲ୍‌ ଆଇଡି ଇନ୍‌ଭାଲିଡ୍‌ ଦେଖାଉଛି ସେମାନେ ରେଜିଷ୍ଟ୍ରେଶନ ନମ୍ବର ଦେଇ ଲଗ୍‌ଇନ୍‌ କରିପାରିବେ। ସେହିପରି ଯେଉଁ ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଭୁଲ୍‌ ଫଟୋ ରହିଛି, ସେମାନେ ପରୀକ୍ଷା ଦେବାରେ କୌଣସି ସମସ୍ୟା ରହିବ ନାହିଁ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ଦେଢ଼ ବର୍ଷ ହେଲା ନିଯୁକ୍ତି ପରୀକ୍ଷାରେ ବ୍ୟାପକ ବିଭ୍ରାଟ, ଚାକିରି ବିକ୍ରି, ପ୍ରଶ୍ନପତ୍ର ଲିକ୍‌ ପାଇଁ ପରୀକ୍ଷାର୍ଥୀମାନେ ମାନସିକ ଚିନ୍ତାଗ୍ରସ୍ତ ରହୁଛନ୍ତି। ଏଭଳି ନୂଆ ନୂଆ ସମସ୍ୟା ଚାକିରି ଆଶାୟୀଙ୍କୁ ଆହୁରି ଚିନ୍ତାରେ ପକାଉଛି।

 

Dharitri – Odisha’s No.1 Odia Daily