କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ ନିଶାଦ୍ରବ୍ୟ ଭାବେ ବ୍ୟବହାର କରାଯିବା ସମ୍ଭାବନା ନେଇ ବିଶେଷଜ୍ଞ କମିଟି ଚିନ୍ତାବ୍ୟକ୍ତ କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଗେଜେଟ୍‌ ବିଜ୍ଞପ୍ତିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଫ୍ଲୁପେଣ୍ଟଇକ୍ସୋଲ (ସିଜୋଫ୍ରେନିଆ ପାଇଁ), ଜୋପିକ୍ଲୋନ୍‌ (ନିଦ୍ରାହୀନତା ସମସ୍ୟା ପାଇଁ), ଗାବାପେଣ୍ଟାଇନ୍‌ (ସ୍ନାୟୁ ଯନ୍ତ୍ରଣା ଲାଘବ ପାଇଁ) ଏବଂ କାରିସୋପ୍ରୋଡୋଲ୍‌ (ମାଂସପେଶୀକୁ ଆରାମ ଦେବା ପାଇଁ) ଔଷଧଗୁଡ଼ିକୁ ଡ୍ରଗ୍ସ ଆଣ୍ଡ୍‌ କସ୍‌ମେଟିକ୍ସ ଆଇନର ପରିଚ୍ଛେଦ ଏଚ୍‌୧ରେ ରଖିଛି।

ଏହି ପରିଚ୍ଛେଦରେ ରହୁଥିବା ଔଷଧଗୁଡ଼ିକ ପାଇଁ ଖୁଚୁରା ଔଷଧ ଦୋକାନୀ ଏବଂ ଔଷଧ କମ୍ପାନୀଗୁଡ଼ିକୁ ସେଗୁଡ଼ିକର ବିକ୍ରି ସମ୍ପର୍କିତ ସବିଶେଷ ରେକର୍ଡ ରଖିବାକୁ ହେବ। ଏଥିସହିତ ଉକ୍ତ ଔଷଧ ଲେଖିଥିବା ଡାକ୍ତରଙ୍କ ନାମ ଓ ଠିକଣା ଏବଂ କେତେ ପରିମାଣର ଔଷଧ ଯୋଗାଣ ହୋଇଛି, ତାହା ଉଲ୍ଲେଖ କରିବାକୁ ପଡ଼ିବ। ନିୟମ ଅନୁଯାୟୀ, ଉକ୍ତ ରେକର୍ଡକୁ ୩ ବର୍ଷ ପାଇଁ ସଂରକ୍ଷଣ କରି ରଖିବାକୁ ହେବ ଏବଂ ଯାଞ୍ଚ ବେଳେ କର୍ତ୍ତୃପକ୍ଷଙ୍କୁ ଦେଖାଇବାକୁ ପଡ଼ିବ।

 

Dharitri – Odisha’s No.1 Odia Daily

Share