ଛତ୍ରପୁର,୧୬।୪(ଦିଲ୍ଲୀପ ସାମଲ) : ଏପ୍ରିଲ ୧ ରୁ ଆରମ୍ଭ ହୋଇଯାଇଛି ଡିଜିଟାଲ ଜନଗଣନା ୨୦୨୭ । ପ୍ରଥମେ ଏପ୍ରିଲ ୧ ରୁ ୧୫ ତାରିଖ ପ୍ରର୍ଯ୍ୟନ୍ତ ସ୍ୱ-ଜନଗଣନା ହୋଇଥିଲା । ଏହାପରେ ଗୁରୁବାରଠୁ ତଥା ଏପ୍ରିଲ ୧୬ ରୁ ମେ ୧୫ ତାରିଖ ଯାଏଁ ଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ପ୍ରଥମ ୩ ଦିନ ଘର ନମ୍ଵରିଂ କରାଯିବ । ଛତ୍ରପୁର ପୌରପରିଷଦ ବାଲିବଗଡ଼ ଗ୍ରାମରେ ହୋଇଛି ଏହି ପ୍ରକ୍ରିୟା ।
ନିଜେ ଗଞ୍ଜାମ ଜିଲାପାଳ ଭି. କିର୍ତ୍ତୀ ଭାସନ ଉପସ୍ଥିତ ରହି ସ୍ଥିତି ଯାଞ୍ଚ ସହ ନିଜେ ମଧ୍ୟ ଘର ନମ୍ବର ପକାଇବା ସହ ଉପସ୍ଥିତ ପରିବାର ସହ କଥା ହୋଇଥିଲେ । ଏହା ସହ ମ୍ୟାପ ଦେଖି ସଠିକ ଜଣଗଣନା କରିବାକୁ ଗଣନାକାରୀଙ୍କୁ ଉପଦେଶ ଦେଇଥିଲେ । ଆମ ଜନଗଣନା ଆମ ବିକାଶ, ବିକଶିତ ଦେଶ ଗଠନ ପାଇଁ ଜନଗଣନା କରୁଥିବା ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଠିକ ଓ ନିର୍ଭୁଲ ତଥ୍ୟ ଦେବାକୁ ଜିଲାପାଳ ଭି. କିର୍ତ୍ତୀ ଭାସନ ଗଞ୍ଜାମବାସୀଙ୍କୁ ଅନୁରୋଧ କରିଛନ୍ତି ।
ପ୍ରଥମେ ଘରକୁ ଘର ବୁଲି ନମ୍ବରିଂ କରିବେ । ଏନେଇ ଜିଲାରେ ୫୬୫୭ ଜଣ ଗଣନାକାରୀ ଚୟନ ହୋଇଥିବା ବେଳେ ୯୯୨ ଜଣ ସୁପରଭାଇଜର ଚୟନ ହୋଇଥିବା ଜିଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହାସହ ୬୫୦ ଜଣ ଗଣନାକାରୀ ଓ ୧୩୬ ଜଣ ସୁପରଭାଇଜରକୁ ରିଜର୍ଭ ଭାବେ ରଖାଯାଇଛି । ସମସ୍ତଙ୍କୁ ଜିଲାପ୍ରଶାସନ ପକ୍ଷରୁ ତାଲିମ ମଧ୍ୟ ପ୍ରଦାନ କରାଯାଇଛି । ଜନଗଣନାକାରୀମାନେ ନିଜ ନିଜ ମୋବାଇଲରେ ଏଚଏଲଭି ଆପ୍ ଡାଉନଲୋଡ କରିଛନ୍ତି । ଏହି ଆପ୍ ଜରିଆରେ ସମସ୍ତ ତଥ୍ୟ ଅପଲୋଡ୍ କରିବେ । ପ୍ରଥମ ଥର ପାଇଁ ଡିଜିଟାଲ ମଧ୍ୟ୍ୟମରେ ହେଉଛି ଜନଗଣନା । ୨୦୧୧ରେ ଶେଷ ଥର ପାଇଁ ହୋଇଥିଲା ଜଣଗଣନା । ସେହି ସମୟରେ ଜିଲା ରେ ୩୫ ଲକ୍ଷ ୨୯ ହଜାର ୩୧ ଜନସଂଖ୍ୟା ରହିଥିଲା ।